ଭୁବନେଶ୍ବର:ଆସନ୍ତା ଜାନୁଆରୀ ୫ତାରିଖରେ ରାଉରକେଲା ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) । ସହରର ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ରାଉରକେଲାର ଜଣେ ସାଧାରଣ ବ୍ୟକ୍ତି ଭାବେ ପ୍ରଶ୍ନ କରିଛନ୍ତି ଯୁବ ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ବାଳ (Social Worker Muktikanta Biswal) । ହକି ବିଶ୍ବକପ ଲାଗି ରାଉରକେଲାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯାଉଛି । ପ୍ରଦୂଷଣକୁ ରୋକିବା ଲାଗି କିଛି କଳ କାରଖାନକୁ ମଧ୍ୟ ବନ୍ଦ କରାଯାଇଛି । ତେବେ ଖେଳାଳି ଓ ବିଦେଶୀ ନାଗରିକଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏହା ସବୁ କରାଯାଉଥିବା ବେଳେ ରାଉରକେଲାବାସୀଙ୍କ ପାଇଁ ଆଜି ଯାଏଁ କାହିଁକି ଚୁପ ରହିଥିଲେ ? ରାଉରକେଲାବାସୀ କଣ ମଣିଷ ନୁହଁନ୍ତି ବୋଲି ମୁକ୍ତିକାନ୍ତ ସରକାରଙ୍କୁ ପ୍ରଶ୍ନ କରିଛନ୍ତି (Muktikanta Biswal asks 5 questions to CM Naveen) ।
ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତିକାନ୍ତଙ୍କ ୫ ପ୍ରଶ୍ନ:-
- ରାଉରକେଲା ସରକାରୀ ଡାକ୍ତରଖାନାର ସ୍ଥିତି କେମିତି ଅଛି ?
- ରାଉରକେଲାରେ ପାଣି ପବନ ଯେ ବିଷାକ୍ତ, କଣ ଆଜି ଜାଣିଲେ ସରକାର ?
- ମୁଖ୍ୟମନ୍ତ୍ରୀଙ୍କ ପୂର୍ବରୁ ଦେଇଥିବା ପ୍ରତିଶୃତି ମନେ ଅଛି ତ ?
- ହକିର ଏନ୍ତୁଡ଼ିଶାଳ ରାଉରକେଲାରେ ହକିର ବିକାଶ ତଥା ଖେଳାଳିଙ୍କ ପ୍ରଶିକ୍ଷଣ ପାଇଁ ସରକାର କେତେ ସଚେତନ ?
- ଷ୍ଟିଲପ୍ଲାଣ୍ଟର କାରଖାନା ବନ୍ଦ ପରେ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ସରକାର କଣ ବ୍ୟବସ୍ଥା କରିଛନ୍ତି ?
ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ପ୍ରଶ୍ନବାଣ ମାରିଛନ୍ତି ଯୁବ ସାମାଜିକ କର୍ମୀ ମୁକ୍ତିକାନ୍ତ । ହକିର ଏନ୍ତୁଡ଼ିଶାଳ ରାଉରକେଲା ମାଟିରେ ହକି ବିଶ୍ବକପ ହେବା ନିଶ୍ଚିତ ଅଞ୍ଚଳବାସୀଙ୍କ ପାଇଁ ଗୌରବର ବିଷୟ । ହେଲେ ସହରର ଆନୁଷଙ୍ଗିକ ଭିତ୍ତିଭୂମିର ଅଭାବକୁ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରଶ୍ନ କରିଛନ୍ତି । ହକି ବିଶ୍ବକପ ପାଇଁ ସହରକୁ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଆସିବେ । ତେବେ ଏଭଳି ସ୍ଥିତିରେ ରାଉରକେଲା ସରକାରୀ ଡାକ୍ତରଖାନାର ସ୍ଥିତି କିପରି ଅଛି ସେନେଇ ସରକାର ଅବଗତ ଅଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଏନେଇ ସେ କହିଛନ୍ତି, "ହକି ବିଶ୍ବକପ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ କିନ୍ତୁ ଛୋଟବଡ଼ ଅଘଟଣ ଘଟିଲେ ଜୀବନ ବଞ୍ଚାଇବାକୁ ଲୋକେ କେଉଁ ଡାକ୍ତରଖାନାକୁ ଯିବେ ? ସରକାର ରାଉରକେଲା ସରକାରୀ ଡାକ୍ତରଖାନାର ଅବ୍ୟବସ୍ଥା ବାବଦରେ ସରକାର ଅବଗତ ଅଛନ୍ତି ତ ? ସରକାର ସ୍ବାସ୍ଥ୍ୟକ୍ଷେତ୍ରରେ ପ୍ରସ୍ତୁତି ଶେଷ କରିଛନ୍ତି ତ ?"