ରାଉରକେଲା:ପ୍ରତିବର୍ଷ ଜୁନ୍ 12 ତାରିଖରେ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳନ କରାଯାଏ । ଏହି ଅବସରରେ ରାଉରକେଲା ରେଳ ଷ୍ଟେସନରେ ଶ୍ରମ ବିଭାଗ ପକ୍ଷରୁ ଏକ ରାଲି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରମ ବିଭାଗ ସହ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ଦିବସର ଉଦ୍ଦେଶ୍ୟ ହେଉଛି ଶିଶୁ ଶ୍ରମର କ୍ଷତିକାରକ ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ସଚେତନ ନାଗରିକ, କାର୍ଯ୍ୟକର୍ତ୍ତା ଏବଂ ଅଧିକାରୀ ଉପସ୍ଥିତ ଥିଲେ ।
ପିଲାମାନଙ୍କୁ ଶୋଷଣରୁ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସୁରକ୍ଷିତ ଶୈଶବରେ ସେମାନଙ୍କ ପ୍ରବେଶକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏକ ନିର୍ଦ୍ଦିଷ୍ଟ ଦିନକୁ ଉତ୍ସର୍ଗ କରି ସରକାର, ସଙ୍ଗଠନ ଏବଂ ବ୍ୟକ୍ତି ବିଶେଷମାନେ ଶିଶୁ ଶ୍ରମିକ ବିରୋଧରେ ସଚେତନତା ସୃଷ୍ଟି କରିଥାଆନ୍ତି । ଏହା ବିଶ୍ୱର ଲକ୍ଷଲକ୍ଷ ପିଲାଙ୍କ କଠିନ ବାସ୍ତବତା ପ୍ରତି ଦୃଷ୍ଟି ଆକର୍ଷଣ କରିବାରେ ସାହାଯ୍ୟ କରେ । ଯେଉଁମାନେ ଶିକ୍ଷା ଗ୍ରହଣ କରିବା ଏବଂ ସେମାନଙ୍କ ପିଲାଦିନକୁ ଉପଭୋଗ କରିବା ପରିବର୍ତ୍ତେ ଶ୍ରମ ବା ଶ୍ରମିକ ଭାବରେ ବିଭିନ୍ନ ସ୍ଥାନରେ ଘରେ ଏବଂ ବିଭିନ୍ନ ହୋଟେଲ ସହ ଅନ୍ୟାନ୍ୟ ସ୍ଥାନରେ ବେଆଇନ ଭାବରେ କାମ କରିବାକୁ ବାଧ୍ୟ ହୁଅନ୍ତି । ଶିଶୁ ଶ୍ରମର ଶାରୀରିକ, ଆବେଗିକ ଏବଂ ଜ୍ଞାନାତ୍ମକ ପ୍ରଭାବକୁ ପ୍ରକାଶ କରି ଏହି ଦିବସ ପାଳିତ ହୋଇଥାଏ ।