ଓଡିଶା

odisha

ETV Bharat / state

ମହିଳାଙ୍କୁ କଚାଡ଼ି ମାରିଲା ହାତୀ, ଓଡ଼ିଶା ସୀମାରେ ମାରି ଝାଡ଼ଖଣ୍ଡରେ ଫୋପାଡ଼ିଲା

ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ଅଞ୍ଚଳ ନୂଆଗାଁ ବ୍ଲକରେ ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ । ଶୌଚ ବେଳେ ହାତୀ ଆକ୍ରମଣର ଶିକାର ହୋଇ ଜୀବନ ହରାଇଲେ ମହିଳା । ଅଧିକ ପଢ଼ନ୍ତୁ

By

Published : Jul 19, 2023, 5:28 PM IST

Updated : Jul 19, 2023, 7:02 PM IST

woman killed by elephant attack
ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ରାଉରକେଲା:ସୁନ୍ଦରଗଡ଼ ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ । ପୁଣି ମୁଣ୍ଡ ନେଲା ଜଙ୍ଗଲୀ ହାତୀ । ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ଅଞ୍ଚଳ ନୂଆଗାଁ ବ୍ଲକରେ ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଉଛନ୍ତି ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ କରଡେଗା ପଞ୍ଚାୟତ ବାସିନ୍ଦା ସୁମନ ଗୁଡ଼ିଆ । ଶୌଚ ପାଇଁ ଯାଇଥିବା ବେଳେ ଏକ ଜଙ୍ଗଲୀ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ମଙ୍ଗଳବାର ଭୋରରୁ ସୁମନ ଗୁଡ଼ିଆ ଶୌଚ ପାଇଁ ଘର ଠାରୁ କିଛି ଦୂରକୁ ଯାଇଥିଲେ । ଏହି ସମୟରେ ଏକ ଜଙ୍ଗଲୀ ହାତୀ ହାବୁଡ଼ରେ ପଡ଼ିଥିଲେ । ସୁମନଙ୍କୁ ଟେକି ନେଇ ଝାଡ଼ଖଣ୍ଡ ଜଙ୍ଗଲରେ ମୃତଦେହ ପକାଇଥିବା ଦେଖିବାକୁ ମିଳିଛି । ଖବର ପାଇ ବୁଧବାର ସକାଳୁ ବିରମିତ୍ରପୁର ଏବଂ ଝାଡ଼ଖଣ୍ଡ ବନ ବିଭାଗ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ କରାଯାଉଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, "ସୁମନ ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ହାତୀଟି ସୁମନଙ୍କୁ କଚାଡି ମାରିବା ପରେ ସେହି ସ୍ଥାନରୁ ଉଠାଇ ନେଇ ଝାଡ଼ଖଣ୍ଡର ଏକ ଦୂର ଜଙ୍ଗଲରେ ଫିଙ୍ଗି ଦେଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି ।" କ୍ରମାଗତ ଭାବେ ଜିଲ୍ଲାରେ ହାତୀ ଆକ୍ରମଣରେ ଲୋକଙ୍କ ପ୍ରାଣହାନୀ ହେଉଥିବାରୁ ଏଥିପ୍ରତି ବିହିତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ସତର୍କ ସୂଚନା ଫଳକ ଲଗାଇବା, ନିର୍ଦ୍ଧାରିତ ରାସ୍ତା ତିଆରି କରିବା, ହାତୀମାନେ ଯେପରି ଜନବସତି ଅଞ୍ଚଳକୁ ମାଡ଼ି ନ ଆସନ୍ତି ସେଥିପାଇଁ ବ୍ୟାରିକେଡ ଲଗାଇବା ଭଳି ପଦକ୍ଷେପ ବନ ବିଭାଗ ଯଥା ସମ୍ଭବ ଗ୍ରହଣ କରୁ ବୋଲି ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ହାତୀ ମଣିଷ ଲଢେଇର ହେବ କି ଅନ୍ତ ! ସୁରକ୍ଷା ଅନୁଦାନ ଘୋଷଣା ପରେ ସାମାନ୍ୟ ଆଶ୍ବସ୍ତ ଲୋକେ

ଅନ୍ୟପଟେ ବନବିଭାଗ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ସ୍ଥାନୀୟ ଅଞ୍ଚଳରେ ହାତୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି । ବୀରମିତ୍ରପୁର ଓ ଝାଡ଼ଖଣ୍ଡ ବନବିଭାଗର କର୍ମଚାରୀମାନେ ହାତୀଙ୍କ ଉପସ୍ଥିତି ଦ୍ୱାରା ଉପୁଜିଥିବା ସମସ୍ଯାକୁ ଦୂର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ହାତୀଙ୍କ ସୁରକ୍ଷା ସହିତ ସ୍ଥାନୀୟ ଜନବସତିକୁ ସୁରକ୍ଷିତ ରଖିବା ଉପରେ ପ୍ରାଥମିକ ଗୁରୁତ୍ୱ ଦିଆଯାଉଥିବା ବନ ଅଧିକାରୀ କହିଛନ୍ତି ।

ଇଟିଭି ଭାରତ, ରାଉରକେଲା

Last Updated : Jul 19, 2023, 7:02 PM IST

ABOUT THE AUTHOR

...view details