ରାଉରକେଲା: ଅସରାଏ ବର୍ଷରେ ବେହାଲ ସ୍ମାର୍ଟ ସିଟି ରାଉରକେଲାର ଗୋପବନ୍ଧୁ ପାଲ୍ଲୀ ଅଞ୍ଚଳ । ଆଣ୍ଠୁଏ ଆଣ୍ଠୁଏ ପାଣିରେ ବସବାସ କରୁଛନ୍ତି ଲୋକେ । ଜଳବନ୍ଦୀ ଅବସ୍ଥାରେ ଦିନ କାଟୁଛନ୍ତି ଲୋକେ । ରାଉରକେଲା ମହାନଗର ନିଗମ( ଆରଏମସି)ର ଅବହେଳା ଏବଂ ଚିନ୍ତା ନଥିବାରୁ ସମସ୍ୟାରେ ଘାଣ୍ଟି ହେଉଛନ୍ତି ବସ୍ତିବାସିନ୍ଦା । ତିନ ଦିନ ଲଘୁଚାପଜନିତ ଲଗାଣ ବର୍ଷାରେ ପାଣିଘେରରେ ଅଞ୍ଚଳବାସୀ । ଏମିତି ଦୟନୀୟ ସ୍ଥିତି ଉପୁଜିଛି ୱାର୍ଡ ନଂ ୨୪ରେ ପ୍ରାୟ ୪୦ ରୁ ୫୦ ପରିବାର ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସ୍ଥାନୀୟ ଲୋକେ ଘଟଣା ସଂପର୍କରେ ରାଉରକେଲା ମହାନଗର ନିଗମର କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ସ୍ଥାୟୀ ସମାଧାନ ହେଉନାହିଁ ।
ଗୋପବନ୍ଧୁପାଲ୍ଲୀ ନୂଆ ସାହି ବସ୍ତିରେ ୪୦- ୫୦ ପରିବାର ବସବାସ କରୁଛନ୍ତି । ଏମାନେ ଆଜିକୁ ୪୫ ବର୍ଷରୁ ଅଧିକ ସମୟ ଧରି ଏଠାରେ ରହି ଆସୁଛନ୍ତି । ଆଜିକୁ ୧୦ ବର୍ଷ ହେବ କୌଣସି ଡ୍ରେନ୍ ସଫେଇ କରାଯାଉ ନଥିବା ଫଳରେ ବର୍ଷା ଦିନେ ଅବସ୍ଥା ସାଙ୍ଘାତିକ ହେଉଛି ବୋଲି କହିଛନ୍ତି ଲୋକେ । ଗୁରୁଦ୍ଵାର ବସ୍ତି, ମଛଲି ମାର୍କେଟ୍ ବସ୍ତି ଓ ମଜୁନୀ ବସ୍ତିରେ ବର୍ଷା ଦିନେ ଆଣ୍ଠୁଏ ଲେଖାଏଁ ପାଣି ଜମୁଛି ।