ସୁନ୍ଦରଗଡ:ଝୁମ୍ପୁଡି ଘରେ ଚାଲିଥିଲା ଦେହବେପାର । ଅନୈତିକ କାମରେ ଲାଗୁଥିଲେ ଯୁବତୀ । ଯାହା ସ୍ଥାନୀୟବାସୀଙ୍କ ଦୃଷ୍ଟିରେ ପଡିଥିଲା । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ହେଲେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନଥିଲେ ପୋଲିସ ବାବୁ । ଗ୍ରାମରେ ଏଭଳି ଅନୈତିକ କାମକୁ ବରଦାସ୍ତ ନ କରି ପାରି ଦେହବେପାର ଚାଲିଥିବା ଝୁମ୍ପୁଡିରେ ନିଆଁ ଲଗାଇ ଦେଇଥିଲେ ଗ୍ରାମବାସୀ । ସୁନ୍ଦରଗଡ ଲୁହୁରାଢିପାର ରୋହିଦାଶ ପଡାରୁ ସାମ୍ନାକୁ ଆସିଛି ଏହି ଘଟଣା ।
ସୂଚନା ଅନୁଯାୟୀ, ଲୁହୁରାଢିପାର ରୋହିଦାଶପଡାରେ ଜଣେ ମହିଳା ଅନୈତିକ କାର୍ଯ୍ୟ କରିବା ସହ ଝିଅମାନଙ୍କୁ ନେଇ ବେଶ୍ୟାବୃତ୍ତିରେ ନିୟୋଜିତ କରୁଥିଲେ । ଏହି ଘଟଣାକୁ ନେଇ ପଡାବାସୀ ଟାଉନ ଥାନା ପୋଲିସର ଦ୍ବାରସ୍ଥ ହୋଇଥିଲେ । ଥରେ ନୁହେଁ କି ଦୁଇ ଥରେ ନୁହେଁ, ଗତ ୧୫ ଦିନ ମଧ୍ୟରେ ସେମାନେ ବାରମ୍ବାର ସୂଚନା ଦେବା ସହ ଦୁଇ ଥର ଲିଖିତ ଅଭିଯୋଗ ମଧ୍ୟ କରିଥିଲେ ।