ରାଉରକେଲା:ବର୍ଷ ଆରମ୍ଭରୁ ଆକ୍ସନ ମୁଡରେ ଭିଜିଲାନ୍ସ ବିଭାଗ । ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ବାବୁ । ଭିଜିଲାନ୍ସ ଜାଲରେ RWSS(Rural Water Supply and Sanitation )ର କନିଷ୍ଠ କିରାଣୀ । ରାଉରକେଲା RWSS ବିଭାଗର କନିଷ୍ଠ କିରାଣୀ ନନ୍ଦ କିଶୋର ନାଥ ଭିଜିଲାନ୍ସ ଜାଲରେ ପଡିଛନ୍ତି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ଚଢ଼ାଉ କରିଛି ( Vigilance raid in junior clerks property) । କନିଷ୍ଠ କିରାଣୀ ନନ୍ଦ କିଶୋର ନାଥଙ୍କ ଅଫିସ ସମେତ ୬ଟି ସ୍ଥାନରେ ରେଡ ହୋଇଛି । ଭୁବନେଶ୍ବର, ବରଗଡ଼, ରାଉରକେଲା ଓ ସମ୍ବଲପୁରରେ ଏକକାଳୀନ ଚଢାଉ ହୋଇଥିବା ସୂଚନା ମିଳିଛି ।
ଭୁବନେଶ୍ବର ଲକ୍ଷ୍ମୀସାଗର ସାଇକୃପା ଏନକ୍ଲେଭରେ ଥିବା ୧୦୫ ନମ୍ବର ପ୍ଲଟ୍ରେ ଭିଜିଲାନ୍ସ ବିଭାଗ ଛାପା ମାରିଛି । ବରଗଡ଼ ଭିଏସଏସ ନଗରରେ ଥିବା ପୈତୃକ ଘର, ପାନପୋଷ ହକି ଛକରେ ଥିବା ସରକାରୀ କ୍ବାର୍ଟର, ରାଉରକେଲାରେ ଥିବା ଅଫିସ ଚାମ୍ବର, ସମ୍ବଲପୁର ଅଁଇଠାପାଲୀସ୍ଥିତ ଘର, ଏବଂ ସମ୍ପର୍କୀୟଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ୍ । ରେଡ୍ରେ ୩ଜଣ ଡିଏସପି , ୯ ଇନସ୍ପେକ୍ଟର, ଜଣେ ଏସଆଇ, ୨ଜଣ ଏଏସଆଇ ସାମିଲ ଅଛନ୍ତି । ଚଢାଉରୁ ବର୍ତ୍ତମାନ ସୁଦ୍ଧା ୪୮୦୦୦ଟଙ୍କା ସହ ଜରୁରୀ କାଗଜପତ୍ର ଓ ବ୍ୟାଙ୍କ ଆକାଉଣ୍ଟ ସହ ସୁନା ଗହଣାକୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଜବତ କରାଯାଇଛି । ଏହାସହ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ ଜାରି ରହିଛି । ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ବିଭାଗ । ତେବେ କନିଷ୍ଠ କିରାଣୀ ନନ୍ଦ କିଶୋର ନାଥଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି ।