ରାଉରକେଲା: ଯମ ସାଜି ଆସିଲା ଟ୍ରକ, ଆଉ ଧକ୍କା ଦେଇ ନେଇଗଲା ଦୁଇଟି ଜୀବନ । ଗତ ଶନିବାର ସୁନ୍ଦରଗଡ ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ଦୁଇ କିନ୍ନରଙ୍କ ମୃତ୍ୟୁ ହୋଇଛି । ପଛରୁ ଟ୍ରକ ଧକ୍କା ଦେବା ଫଳରେ ପ୍ରାଣ ହରାଇଛନ୍ତି ଦୁଇ କିନ୍ନର । ଏହାକୁ ହତ୍ୟା ବୋଲି ଅଭିଯୋଗ ଆଣିଛି କିନ୍ନର ସଂଘ । ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ସହ କ୍ଷତିପୂରଣ ଦାବି କରିଛି କିନ୍ନର ସଂଘ ।
ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲା ବଣେଇ ଅଞ୍ଚଳର ଜଣେ କିନ୍ନରଙ୍କର ପବନ ନାମକ ଜଣେ ଟ୍ରକ ଡ୍ରାଇଭର ସହ ବନ୍ଧୁତା ସମ୍ପର୍କ ଗଢି ଉଠିଥିଲା । ଗତ ଶନିବାର କୌଣସି କାରଣରୁ ପ୍ରାୟ ରାତି ୧୦ଟା ବେଳେ ସୁଇଟି (ଛଦ୍ମ ନାମ) ସହ ଡ୍ରାଇଭରଙ୍କ ବଚସା ହୋଇଥିଲା । ଫଳରେ ଟ୍ରକ ଚାଳକ କିନ୍ନର ଜଣଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ତେବେ ଏନେଇ କିନ୍ନର ଜଣଙ୍କ ତାଙ୍କ ବନ୍ଧୁମାନଙ୍କୁ ଜଣାଇଥିଲେ ।
ତେବେ ଧମକ ପାଇବା ପରେ ରାତିରେ ସୁଇଟି ଓ ତାଙ୍କର ତିନିଜଣ ସାଙ୍ଗ କୌଣସି କାମରେ ବାହାରକୁ ଯାଇଥିଲେ । ସେମାନେ ଯେଉଁଆଡ଼େ ଯାଉଥିଲେ ତାଙ୍କ ପଛେ ପଛେ ଏକ ଟ୍ରକ ଗାଡ଼ି ତାଙ୍କୁ ପିଛା କରୁଥିବାର ଦେଖିଥିଲେ । ଭୋର ସକାଳ ବେଳେ ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା 143 ନମ୍ବର ଜାତୀୟ ରାଜପଥ ରଜାମୁଣ୍ଡା ବାଇପାସରେ ନିକଟରେ ସେମାନେ ସ୍କୁଟିରେ ଘରକୁ ଫେରୁଥିବା ବେଳେ ଟ୍ରକଟି OD14 T 3025 ଦ୍ରୁତ ଗତିରେ ତାଙ୍କ ଆଡକୁ ଆସିବା ଦେଖିଥିଲେ ।