ସୁନ୍ଦରଗଡ: ରାଉରକେଲା ଝିରପାଣି ପୋଲିସ ପେଟ୍ରୋଲ ପମ୍ପ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି । ଗତ 21 ତାରିଖ (ରବିବାର) ବିଳମ୍ବିତ ରାତିରେ ଜଗଦା ଏମ/ଏସ ଓରାମ ଫିଲିଙ୍ଗ ଷ୍ଟେସନ ଲୁଟ ଘଟଣାରେ ରାଉରକେଲା ପୋଲିସ ଜଣେ ନାବାଳକଙ୍କ ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଗତ ରବିବାର ରାତିରେ ଝିରପାଣି ଥାନା ଅନ୍ତର୍ଗତ ଓରାମ ପେଟ୍ରୋଲ ପମ୍ପକୁ ୨ଟି ସ୍କୁଟି ଯୋଗେ ୫ ଜଣ ଦୁର୍ବୃତ୍ତ ଆସି ଏହି ଲୁଟ କାଣ୍ଡ ଘଟାଇଥିଲେ । ଫାଙ୍କା ଗୁଳି ଚାଳନା କରିବା ସହ ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କୁ ପିସ୍ତଲ ଦେଖାଇ ତାଙ୍କ ଠାରୁ ନଗଦ ୫୨ ହଜାର ୫ ଶହ ଟଙ୍କା ଲୁଟି ଫେରାର ହୋଇ ଯାଇଥିଲେ । ଏହି ଘଟଣାର ତଦନ୍ତ ପାଇଁ ରାଉରକେଲା ଏସପି ମୁକେଶ କୁମାର ଭାମୋ ଝିରପାଣି, ବିଶ୍ରା, ବନ୍ଧମୁଣ୍ଡା, ପ୍ଲାଣ୍ଟ ସାଇଟ ଓ ସେକ୍ଟର-୧୯ ଥାନା ଅଧିକାରୀଙ୍କୁ ମିଶାଇ ସ୍ପେଶାଲ ସ୍କ୍ୱାର୍ଡ ଗଠନ କରାଯାଇଥିଲା । ବିଭିନ୍ନ ଅଞ୍ଚଳରେ ଯାଞ୍ଚ କରିବା ସହ ସିସିଟିଭି ଫୁଟେଜକୁ ଆଧାର କରି ପୁରୁଣା ଦାଗୀଙ୍କୁ ଯାଞ୍ଚ କରି ଜଣେ ନାବାଳକ ଅଭିଯୁକ୍ତ ସହ ମୁଖ୍ୟ ଅଭିଯୁକ୍ତ ଅମନ ଓରଫ ମହମ୍ମଦ ଅମିନ ରାଜା (20) ଓ ଇଜାଜ ଆନସାରୀ (25)ନାମକ ଦୁଇ ଅପରାଧୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ ।