ରାଉରକେଲା:ସୁନ୍ଦରଗଡ ଜିଲ୍ଲାରେ ଚାଞ୍ଚଲ୍ୟ । ଦୁଇ ଜଣ ସାଙ୍ଗକୁ ଗୋଡାଇ ଗୋଡାଇ ନିର୍ମମ ହତ୍ୟା । ହାତୁଡିରେ ପିଟି ପିଟି ହତ୍ୟା କଲେ ଦୁର୍ବୃତ୍ତ । ସୁନ୍ଦରଗଡ ଭସ୍ମା ଥାନା ଅନ୍ତର୍ଗତ ଜେ. ରାଏବଗା ଝରାକାନି ଗ୍ରାମରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ଯାହାକି ବର୍ତ୍ତମାନ ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଛି । ମୃତକମାନେ ହେଲେ ଝରାକାନି ଗାଁର ରଞ୍ଜିତ ମଗଧା ଓ ତାଙ୍କ ସାଙ୍ଗ ପତ୍ରାପଡ଼ାର ରାଧେ ରକ୍ସା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ସେମାନଙ୍କୁ ହତ୍ୟା କରିଛନ୍ତି । ପ୍ରଥମେ ରାଧେଙ୍କୁ ହତ୍ୟା କରାଯାଇଥିଲା । ଏହାର ଦିନକ ପରେ ଅର୍ଥାତ୍ ମଙ୍ଗଳବାର ସନ୍ଧ୍ୟାରେ ସାଙ୍ଗ ରଞ୍ଜିତଙ୍କୁ ମଧ୍ୟ ହତ୍ୟା କରାଯାଇଛି ।
ପ୍ରାପ୍ତ ସୂଚନା ମୁତାବକ, ଗତ ସୋମବାର ସନ୍ଧ୍ୟାରେ ଜେ. ରାଏବଗା ହାଇସ୍କୁଲ ପଛପଟ ପଡ଼ିଆରେ ୧୬ ଜଣ ଦୁର୍ବୃତ୍ତ ରାଧେଙ୍କୁ ଗୋଡାଇ ଗୋଡାଇ ହାତୁଡିରେ ପିଟି ଥିଲେ । ଘଟଣାସ୍ଥଳରେ ଲୋକମାନେ ଯା'ଆସ କରୁଥିଲେ ବି ସମସ୍ତେ କେବଳ ଦେଖଣାହାରୀ ସାଜିଥିଲେ । ରାଧେଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ଏହାର ଦିନକ ପରେ ଆଉ ଏକ ଜଘନ୍ୟ କାଣ୍ଡ ଭିଆଇଥିଲେ ସେହି ଦୁର୍ବୃତ୍ତ । ରାଧେଙ୍କ ସାଙ୍ଗ ରଞ୍ଜିତ ନିଜ ଘର ପାଖରେ ଛିଡା ହୋଇଥିବା ବେଳେ ୧୬ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ତାଙ୍କୁ ହତ୍ୟା କରିବାକୁ ଗୋଡାଇ ଥିଲେ ।