ରାଉରକେଲା:ଠକାମୀର ଶିକାର ହେଲେ ଆଦିବାସୀ ମହିଳା । ଜଣେ କି ଦୁଇ ଜଣ ନୁହେଁ ୮ ଗୋଟି ଗ୍ରାମର ଶହ ଶହ ମହିଳା ଠକାମୀର ଶିକାର ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ଟ୍ରେନିଂ ଦେବା ନାଁରେ ହୋଇଛି ବଡ଼ ଧରଣର ଠକେଇ । ତେବେ କୋରୋନା କାଳରେ ଗ୍ରାମାଞ୍ଚଳର ମହିଳାମାନଙ୍କୁ ସ୍ଵାବଳମ୍ବୀ କରିବା ନାଁରେ ଭାରତ ଫାଇନାନ୍ସ ନାମକ ଏକ କମ୍ପାନୀ ପକ୍ଷରୁ ଠକେଇ କରାଯାଇଥିବା ଅଭିଯୋଗ ହୋଇଛି । ମହିଳାଙ୍କ ନାଁରେ ଅନୈତିକ ଭାବେ ଋଣ କରାଯାଇଥିବାରୁ ଏ ବିଷୟରେ ସଂପୂର୍ଣ୍ଣ ଅନଭିଜ୍ଞ ମହିଳାମାନେ ବାଧ୍ୟତାମୂଳକ ଟଙ୍କା ପୈଠ କରୁଛନ୍ତି । ଯାହାକୁ ନେଇ ରାଉରକେଲା ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ମହିଳାମାନେ ।
ଅଭିଯୋଗ ଅନୁସାରେ, ୨୦୨୦ ମସିହାକରୋନା ମହାମାରୀ ସମୟରେ ଭାରତ ଫାଇନାନ୍ସ ନାମକ ଏକ ସଂସ୍ଥା ଲହୁଣିପଡ଼ା ଓ ଟିକାୟତପାଲି ଥାନା ଅନ୍ତର୍ଗତ କସଡ଼ା, ଚୂଡ଼ାଖାଇ, କଣ୍ଢେଇପୋଷ, ତିଲେଇସୁରୁଆ, ଚିକଟନାଳି, ଠିଆବେଣ୍ଡା, ଗଉଡ଼ୁଣୀ ପୋଷ, ବରଘାଟ ଆଦି ଗାଁରେ ପହଞ୍ଚିଥିଲା । ଏସବୁ ଗାଁର ମହିଳାମାନଙ୍କୁ ଛତୁ ଚାଷ, ମାଛ ଚାଷ, ସିଲେଇ ଆଦି ବିଭିନ୍ନ ତାଲିମ ଦେଇ ସ୍ବାବଳମ୍ବୀ କରିବାକୁ କହିଥିଲା । ଏହି ସମୟରେ ମିଛ ପ୍ରତିଶ୍ରୁତିରେ ଭାସି ଯାଇଥିଲେ ୧୦୦ରୁ ଉର୍ଦ୍ଧ୍ବ ଜଣ ଗରିବ ଆଦିବାସୀ ମହିଳା । ଏହାରି ମଧ୍ୟରେ ଚଞ୍ଚକତା କରି ଦୁଇଟି ପର୍ଯ୍ୟାୟରେ ମହିଳାମାନଙ୍କ ଫିଙ୍ଗରପ୍ରିଣ୍ଟ୍, ଆଧାରକାର୍ଡ, ବ୍ୟାଙ୍କ୍ ପାସ୍ବୁକ ଆଦି ଆନୁସଙ୍ଗିକ କାଗଜପତ୍ର ନେଇଯାଇ ଥିଲା ଠକ କମ୍ପାନୀ । ପରେ ଉକ୍ତ ଡକ୍ୟୁମେଣ୍ଟ୍ ସହାୟତାରେ ଇଣ୍ଡସ୍ଲ୍ୟାଣ୍ଡ୍ ବ୍ୟାଙ୍କରେ ଋଣ କରାଯାଇଥିଲା । ଏ ବିଷୟରେ ମହିଳାମାନେ ଆଦୌ ଜାଣିପାରି ନଥିଲେ ।