traffic signal system disrupted in rourkela ରାଉରକେଲା:ରାଉରକେଲାରେ ହକି ଖେଳ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିଲା । ହେଲେ ଖେଳ ସରିଗଲା ପରେ ସବୁକିଛି ଭୁଲିଗଲେ । ସିସିଟିଭି ସହ ସିଗନାଲ ଲାଗି ବିତିଗଲାଣି ଦୁଇମାସ । କିନ୍ତୁ ଏବେ ବି କାର୍ଯ୍ୟକାରୀ ହୋଇପାରୁ ନାହିଁ । ଦୁଇମାସ ବିତି ଯାଇଥିଲେ ସୁଦ୍ଧା କେବେ ଏହା କାର୍ଯ୍ୟକାରୀ ହେବ ତାକୁ ନେଇ ଆଶା ଆଶଙ୍କାରେ ସ୍ଥାନୀୟ ବାସିନ୍ଦା ।
ଚଳିତଥର ରାଉରକେଲାରେ ହକି ବିଶ୍ୱକପ ଆୟୋଜନକୁ ନେଇ ସମ୍ପୂର୍ଣ୍ଣ ନୂଆ ରୂପ ନୂଆ ରଙ୍ଗରେ ସଜେଇ ହୋଇଥିଲା ରାଉରକେଲା ସହର । ଏହି ସମୟରେ ଟ୍ରାଫିକ ସିଗନାଲ ସହ ସିସିଟିଭିର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ଦୁଇରୁ ତିନିମାସ କାର୍ଯ୍ୟକ୍ଷମ ହେବା ପରେ ଏବେ ଏକାମୀ ହୋଇ ପଡିଛି ସିସିଟିଭି । ସତେ ଯେମିତି ଖକି ଖେଳ ସରିବା ପରେ ସବୁ କିଛି ସରିଯାଇଛି । ତେବେ ବର୍ତ୍ତମାନ ଲୋକେ ଏହାର ସଠିକ କାର୍ଯ୍ୟକାରୀ ହେବ ଉପରେ ପ୍ରଶ୍ନ ଉଠାଉଛନ୍ତି।
ହକି ବିଶ୍ୱକପ ଆୟୋଜନ ପାଇଁ ପ୍ରାୟ ୯୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ରାଉରକେଲା ସହରରେ ନୂଆ ଭାବରେ ଟ୍ରାଫିକ ସିଗନାଲ ବ୍ୟବସ୍ଥା ସହ ସିସିଟିଭି ବ୍ୟବସ୍ଥା କରାଯାଇଛି । କିନ୍ତୁ ଏହାର କାର୍ଯ୍ୟକାରୀ ହେବାକୁ ନେଇ ଦେଖା ଦେଲାଣି ଆଶଙ୍କା । ରାଉରକେଲା ସହରବାସୀ ବହୁ ଦିନର ଦାବି ରହିଛି ଯେ ରାଉରକେଲା ସହରରେ ସଠିକ ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରାଯାଉ । ଯାହା ଫଳରେ ରାଉରକେଲା ସହରରେ ହେଉଥିବା ଟ୍ରାଫିକ ସମସ୍ୟା ଦୂର ହୋଇ ପାରିବ ଏବଂ ନିତି ଦିନିଆ ସହରର ବିଭିନ୍ନ ଛକ ଗୁଡିକରେ ହେଉଥିବା ଛୋଟ ବଡ଼ ଦୁର୍ଘଟଣା ସଂଖ୍ୟା ଉପରେ ରୋକ ଲାଗି ପାରନ୍ତା । ଏହାସହ ଯାତାୟତର ସୁବୁଧା ହେବା ସହ ଅପରାଧ ଉପରେ ମଧ୍ୟ ଲଗାମ ଲାଗିଥାନ୍ତା । ତେବେ ଲୋକେ ଏହାକୁ ନେଇ ପୁଣି ରାଉରକେଲା ସହରବାସୀଙ୍କୁ ପୋଲିସ ପ୍ରଶାସନ ସ୍ୱପ୍ନ ଦେଖାଇ ସ୍ୱପ୍ନ ଭାଙ୍ଗୁଥିବାର ଅଭିଯୋଗ କରିଛନ୍ତି । ପୂର୍ବରୁ ମଧ୍ୟ ଏଭଳି ଭାବରେ ଟଙ୍କା ଆସେ ଏବଂ ରାଉରକେଲା ସହରରେ ସିସିଟିଭି ଏବଂ ସିଗନାଲ ଲାଗେ ତା ପରେ ଏହାର ଅବସ୍ଥା ନକହିବା ଭଲ । କାମ ନକରି ଖତ ଖାଏ ସବୁ ବ୍ୟବସ୍ଥା ଏବଂ ଏଥର ମଧ୍ୟ ଏଭଳି ସ୍ଥିତି ହେବ ବୋଲି ଆଶଙ୍କା କରିଛନ୍ତି ରାଉରକେଲା ସହରବାସୀ । ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା ଯେ କେବେ ସଠିକ ଭାବରେ କାର୍ଯ୍ୟ କରିବ ଟ୍ରାଫିକ ସିଗନାଲ ଏବଂ ସିସିଟିଭି ବ୍ୟବସ୍ଥା ।
ଇଟିଭି ଭାରତ, ରାଉରକେଲା