ରାଉରକେଲା:ସାରା ରାଜ୍ୟରେ ଟମାଟୋ ଦର ଆକାଶ ଛୁଆଁ । ବର୍ତ୍ତମାନ ବଜାରରେ ଟମାଟୋ କିଲୋ ପ୍ରତି 100 ଟଙ୍କା ପାର୍ ହୋଇଛି । ସେହିପରି ରାଉରକେଲାରେ ମଧ୍ୟ ଅଚାନକ ଦର ବୃଦ୍ଧି ପାଇଁ ଚିନ୍ତାରେ ଗ୍ରାହକ । ଏବେ ଖୁଚୁରା ବଜାରରେ ଟମାଟୋ ଦର 100 ଟଙ୍କା ଛୁଇଁବା ପରେ ଏବେ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ବଡବଡିଆ ବି ଏହାକୁ କିଣିବାକୁ କୁଣ୍ଠାବୋଧ କରୁଥିବା ଦେଖିବାକୁ ମିଳୁଛି । ତେବେ ସପ୍ତାହେ ତଳେ ସହରରେ 30 ଟଙ୍କା କିଲୋରେ ଟମାଟୋ ମିଳୁଥିବା ବେଳେ ଏବେ କିଲୋ ପିଛା 100 ରୁ 110 ଟଙ୍କାରେ ପହଞ୍ଚିଛି ।
ତେବେ ଯୋଗାଣ ବିଭାଗ 80 ରୁ 90 ଟଙ୍କା ଟମାଟୋ କିଲୋ ହୋଇଥିବା କହୁଥିବା ବେଳେ ମାର୍କେଟରେ 100 ରୁ 110 ଯାଏ ବିକ୍ରି ହେଉଛି । ହଠାତ୍ ଏଭଳି ଦରବୃଦ୍ଧି ଓଡ଼ିଶାବାସୀଙ୍କୁ ବିଚଳିତ କରିବା ସହ ସେମାନଙ୍କ ଘରୋଇ ବଜେଟକୁ ଆଘାତ ପକାଇଛି । ଯାହାକୁ ନେଇ ଚିନ୍ତାରେ ବର୍ତ୍ତମାନ ସାଧାରଣ ଲୋକ । ଯୋଗାଣ ବିଭାଗ ପକ୍ଷରୁ ଏହି ଅଭାବୀ ଦରବୃଦ୍ଧି ପାଇଁ ଟମାଟୋ ଫସଲରେ ବ୍ୟାପକ କ୍ଷତି ହୋଇଥିବା କୁହାଯାଉଛି । ଚଳିତ ବର୍ଷା ଋତୁର ଆରମ୍ଭରୁ ଟମାଟୋ ଯୋଗାଣ ଗୁରୁତର ଭାବେ ପ୍ରଭାବିତ ହୋଇଛି ।
ଅନ୍ୟପଟେ ଯୋଗାଣ ବିଭାଗଙ୍କ ସୂଚନା ଅନୁଯାୟୀ, ରାଜ୍ୟକୁ ଟମାଟୋ ବାହାର ରାଜ୍ୟରୁ ଆସୁଛି । ତେଣୁ ବର୍ଷା ଯୋଗୁଁ ବାହାର ରାଜ୍ୟରୁ ଆସୁଥିବା ଟମାଟୋ ଚାଷରେ ବ୍ୟାପକ କ୍ଷତି ହୋଇଛି । ବର୍ତ୍ତମାନ ବର୍ଷା ସାଙ୍ଗକୁ ଅନ୍ୟାନ୍ୟ ପ୍ରତିକୂଳ ପାଗ ଯୋଗୁଁ ଫସଲ ନଷ୍ଟ ହେବା ଫଳରେ ବଜାରରେ ଟମାଟୋର ଯଥେଷ୍ଟ ଅଭାବ ଦେଖାଦେଇଛି । ଟମାଟୋ ଚାଷରେ ରୋଗପୋକ ଲାଗିବା ଯୋଗୁଁ ଚାଷୀମାନେ ବହୁ କ୍ଷତି ସହିଛନ୍ତି । ଫଳରେ ଯୋଗାଣ କମିବା ଫଳରେ ବଜାର ଉପରେ ଏହାର ପ୍ରଭାବ ପଡ଼ିଛି । ହଠାତ୍ ଏହି ଦରବୃଦ୍ଧିର ପ୍ରଭାବ ସମଗ୍ର ରାଉରକେଲାବାସୀଙ୍କ ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପଡିଥିବା ବେଳେ ଗ୍ରାହକମାନଙ୍କ ମନରେ ଅସନ୍ତୋଷ ଦେଖାଦେଇଛି ।