ରାଉରକେଲା: ୨୦୨୨ ଅକ୍ଟୋବର ମାସରୁ ଶିକ୍ଷା କ୍ଷେତ୍ରରେ ଚୁକ୍ତିଭିତ୍ତିକ ପ୍ରଥାକୁ ଉଚ୍ଛେଦ କରିଥିଲେ ରାଜ୍ୟ ସରକାର । ଏହାକୁ ୬ ମାସରୁ ଊର୍ଦ୍ଧ୍ବ ସମୟ ବିତିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରିନାହିଁ । ଏହାକୁ ନେଇ ପୁଣି ଧାରଣାରେ ଶିକ୍ଷକ ଶିକ୍ଷୟତ୍ରୀ । ନିଜର ଦାବି ଉପସ୍ଥାପନ କରି ଧାରଣାରେ ବସିଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ଶିକ୍ଷକ ଶିକ୍ଷୟତ୍ରୀ ମାନେ ।
ଚୁକ୍ତିଭିତ୍ତିକ ପ୍ରଥାକୁ ରାଜ୍ୟ ସରକାର ଉଚ୍ଛେଦ କରିଥିଲେ ମଧ୍ୟ ଏହା କେବଳ ଘୋଷଣାରେ ସୀମିତ ରହିଯାଇଛି । ଏହାକୁ କାର୍ଯ୍ୟକାରୀ କରିବା ଦାବିକୁ ନେଇ ବିଭିନ୍ନ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ସହ ରାଜଧାନୀ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନରେ ବିଭିନ୍ନ ସମୟରେ ଧାରଣାରେ ବସିଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ । କିନ୍ତୁ ସରକାର ସେମାନଙ୍କ ଦାବି ଶୁଣିବାକୁ ନାରାଜ । ତେବେ ଏହାକୁ ନେଇ ଗତକାଲି(ମଙ୍ଗଳବାର) ରାଉରକେଲା ସହରରେ ଧାରଣାରେ ବସି ରହିଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ ମାନେ । ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍କୁଲରୁ ଆସି ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏହି ଧାରଣାରେ ଯୋଗ ଦେଇଛନ୍ତି ।
ତେବେ ଗଣଶିକ୍ଷା ବିଭାଗ କେଉଁ କାରଣରୁ ଏହାକୁ କାର୍ଯ୍ୟକାରୀ କରୁନାହିଁ ବୋଲି ଏମାନେ ପ୍ରଶ୍ନ କରିଛନ୍ତି । ଏହି କାରଣରୁ ବିଭିନ୍ନ ସ୍କୁଲରେ ନିଯୁକ୍ତ ହୋଇଥିବା ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦରମା ମଧ୍ୟ ବୃଦ୍ଧି କରାଯାଉନାହିଁ । ଫଳରେ ସେମାନଙ୍କ ପରିବାର ପ୍ରତିପୋଷଣ କରିବା ପାଇଁ ବିଭିନ୍ନ ସମୟରେ ସେମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି । ସରକାର ଗୋଟିଏ ପକ୍ଷରେ ଘୋଷଣା କରୁଛନ୍ତି, କିନ୍ତୁ ଅନ୍ୟପକ୍ଷରେ ଏହା କାର୍ଯ୍ୟକାରୀ ହେବାରେ କଣ ଅସୁବିଧା ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।