ରାଉରକେଲା: ହଷ୍ଟେଲ ଭିତରେ ଶିକ୍ଷକଙ୍କ ଅମାନୁଷିକ କାଣ୍ଡ । ଛାତ୍ରଛାତ୍ରୀଙ୍କୁ ନିସ୍ତୁକ ପିଟିଲେ ପ୍ରଧାନ ଶିକ୍ଷକ । ଏମିତି ମାଡ ମାରିଲେ ଯେ ଜଣେ ଛାତ୍ରଙ୍କ ମୁଣ୍ଡ ଫାଟିଗଲା । ଆଦିବାସୀ ଆଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ସୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଏଭଳି ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଛାତ୍ରଛାତ୍ରୀଙ୍କୁ ଦଣ୍ଡ ଦେବା ଆଳରେ ସ୍କୁଲର ପ୍ରଧାନ ଶିକ୍ଷକ ଅତି ନିର୍ମମ ଭାବେ ୧୪ ଜଣ ଛାତ୍ରଛାତ୍ରୀଙ୍କୁ ମାଡ ମାରିଛନ୍ତି । ଏଥିରେ ୧୩ ଜଣ ଛାତ୍ର ଆହତ ହୋଇଥିବାବେଳେ ଜଣଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଛି । ଏହି ଘଟଣା ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଉକ୍ତ ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି ।
ସୂଚନା ମୁତାବକ, ଗତ ମାର୍ଚ୍ଚ ୧୧ ତାରିଖରେ ଏହି ଘଟଣା ଘଟିଥିଲା । ଏନେଇ ଅଭିଭାବକଙ୍କ ଅଭିଯୋଗ ପରେ ଏବେ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ଏହି ପ୍ରଧାନ ଶିକ୍ଷକ ହେଉଛନ୍ତି ଅମର କୁମାର ସିଂ । ଗତ ମାସ ୧୧ ତାରିଖରେ ସୋଲ ଜନତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲର ୧୪ ଜଣ ଛାତ୍ରଙ୍କୁ ପ୍ରଧାନ ଶିକ୍ଷକ ମାଡ ମାରି ଦରମରା କରିଥିବା ଅଭିଯୋଗ ହୋଇଥିଲା । ଏଥିରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରର ମୁଣ୍ଡ ଫାଟି ଯାଇଥିଲା । ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବା ଯୋଗୁଁ ଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା । ଶିକ୍ଷକଙ୍କ ମାଡରେ ଅନ୍ୟ ୧୩ ଜଣ ଛାତ୍ର ମଧ୍ୟ ଆହତ ହୋଇଥିଲେ ।