ରାଉରକେଲା:ଜୀବନ ହାରିଲେ ସୁନ୍ଦରଗଡ଼ ଟାଉନ ଯୁବ ସଭାପତି । ଝୁଲନ୍ତା ଅବସ୍ଥାରେ ଧୀରଜଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଚରମ ନିଷ୍ପତ୍ତି ନେବାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।
କାହିଁକି ଧୀରଜ ଏଭଳି ନିଷ୍ପତ୍ତି ନେଲେ ସେନେଇ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତକାଲି(ବୁଧବାର) ସକାଳୁ ସକାଳୁ ସୁନ୍ଦରଗଡ଼ ଟାଉନରେ ଏହି ଦୁଃଖଦ ଘଟଣା ଘଟିଥିଲା । ନିଜ ବାସଭବନରେ ହିଁ ସେ ଜୀବନ ହାରି ଦେଇଥିବା ଜଣାପଡିଛି । ତେବେ କେଉଁ କାରଣ ପାଇଁ ସେ ଏଭଳି ନିଷ୍ପତ୍ତି ନେଲେ ତାହା ବର୍ତ୍ତମାନ ଯାଏଁ ଜଣାପଡ଼ିନାହିଁ । ଏହି ଖବର ପ୍ରଘଟ ହେବା ପରେ ସୁନ୍ଦରଗଡ଼ ଜିଲ୍ଲାରେ ବିଜେଡିକୁ ବଡ଼ ଝଟକା ଲାଗିଛି ।
ସୁନ୍ଦରଗଡ଼ ଟାଉନ ଅଞ୍ଚଳରେ ଯୁବ ଏବଂ ଛାତ୍ରଙ୍କ ମଧ୍ୟରେ ଜଣେ ଭଲ ଯୁବନେତା ଥିଲେ ଧୀରଜ ପ୍ରସାଦ । ତେବେ ମଙ୍ଗଳବାର ଧୀରଜ ତାଙ୍କ ସାଙ୍ଗ ମାନଙ୍କ ସହ ଭେଟ ହୋଇଥିଲେ ଏବଂ ଖୁସିରେ ମଧ୍ୟ ଥିଲେ । ହସଖୁସିରେ ଧୀରଜ ତାଙ୍କ ଘରକୁ ଫେରିଥିଲେ । ତେବେ ଘରେ ମଧ୍ୟ କୌଣସି ପ୍ରକାର ଚିନ୍ତା ନଥିଲା । କିନ୍ତୁ ହଠାତ୍ ଗତକାଲି ତାଙ୍କର ଝୁଲନ୍ତା ଅବସ୍ଥାରେ ଦେଖିଥିଲେ ପରିବାର ଲୋକେ । ଏହାପରେ ପରିବାର ଲୋକଙ୍କ ପକ୍ଷରୁ ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ସୁନ୍ଦରଗଡ଼ ମେଡିକାଲ୍କୁ ପଠାଇଛି ।