ସୁନ୍ଦରଗଡ:ରାଜ୍ୟବାସୀଙ୍କୁ ପୁଣି ଡରାଇଲାଣି କୋରୋନାର ଦୈନିକ ସଂକ୍ରମଣ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ତେବେ ସୁନ୍ଦରଗଡରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗାଇଡଲାଇନ ପାଳନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ । କୋରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ସମସ୍ତେ ନିୟମ ପାଳନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ।
ଏହା ପୂର୍ବରୁ କୋଭିଡର ପ୍ରଥମ ଏବଂ ଦ୍ୱିତୀୟ ଲହରକୁ ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା । ବର୍ତ୍ତମାନର କୋଭିଡ୍ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି । କୋଭିଡ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇଦେବା ପାଇଁ ସୁନ୍ଦରଗଡ଼ ଏବଂ ରାଉରକେଲାରେ ସ୍ୱତନ୍ତ୍ର କୋଭଡ ହସ୍ପିଟାଲଗୁଡ଼ିକ ପ୍ରସ୍ତୁତ ରହିଛି । ଏଥିପାଇଁ ଆବଶ୍ୟକ ସଂଖ୍ୟକ ବେଡ ଓ ଅକ୍ସିଜେନ ମଧ୍ୟ ମହଜୁଦ ରହିଛି । କୋଭିଡ ନିୟନ୍ତ୍ରଣ ପାଇଁ ଟେଷ୍ଟିଂ, ଟ୍ରାକିଂ ଏବଂ ଟୀକାକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ଜିଲ୍ଲାପାଳ । ଜିଲ୍ଲାରେ ଏବେ କୋଭିଡ ଟେଷ୍ଟିଂରେ କୌଣସି ଅସୁବିଧା ନାହିଁ ।
କୋଭିଡ ନମୁନା ପରୀକ୍ଷା ଉପରେ ପ୍ରଶାସନ ସବୁବେଳେ ଗୁରୁତ୍ୱ ଦେଇ ଆସୁଛି । ଏବେ ଜିଲ୍ଲାରେ ଦୈନିକ ୭ ହଜାରରୁ ଅଧିକ ଟେଷ୍ଟିଂ କରିବାର କ୍ଷମତା ରହିଛି । ଆବଶ୍ୟକ ହେଲେ ଆଗକୁ ଏହାକୁ କିପରି ବଢ଼ାଯାଇପାରିବ ତା’ ଉପରେ ଧ୍ୟାନ ଦିଆଯାଉଛି । ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଆହୁରି କହିଛନ୍ତି ଯେ, କୋଭିଡ୍ ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ସମସ୍ତେ କୋରୋନା ଗାଇଡଲାଇନ ପାଳନ କରନ୍ତୁ । ଏଥିସହ ମାସ୍କ ଓ ସାମାଜିକ ଦୂରତା ଆଦି ରକ୍ଷା କରନ୍ତୁ । ନିହାତି ଆବଶ୍ୟକ ନଥିଲେ ଘରୁ ବାହାରକୁ ଆସନ୍ତୁ ନାହିଁ । କୋଭିଡ ମୁକାବିଲା କରିବାରେ କ୍ଷେତ୍ର କର୍ମଚାରୀ ଓ ପ୍ରଶାସନକୁ ପୂର୍ଣ୍ଣ ସହଯୋଗ କରନ୍ତୁ ।