ରାଉରକେଲା: ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖର ଆଉ ଏକ କରୁଣ କାହାଣୀ । ଦାଦନ ଖଟିବାକୁ ଯାଇ ଗଭୀର ସମୁଦ୍ରରେ ବନ୍ଧକ ପଡିଛନ୍ତି ଓଡିଆ ଯୁବକମାନେ । ସମୁଦ୍ର ମଝିରେ ଫସି ରହିଛନ୍ତି 9 ଜଣ ଯୁବକ । ମହାରାଷ୍ଟ୍ରର ଦେବଗାଡ଼କୁ କାମ କରିବାକୁ ଯାଇ ମଝି ସମୁଦ୍ରରେ ବନ୍ଧା ପଡ଼ିଛନ୍ତି ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳର ୯ ଜଣ ଯୁବକ । ତେବେ ଦାଦନ ଖଟିବାକୁ ଯାଇ ବର୍ତ୍ତମାନ ବନ୍ଧା ପଡ଼ିଥିବା ଭିଡିଓ ଜରିଆରି କହିବା ସହ ଉଦ୍ଧାର କରିବା ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି ।
ଭିଡିଓ ଜରିଆରେ ଗୁହାରି କରୁଥିବା ଯୁବକମାନେ କହିଛନ୍ତି, ‘‘ ଆମେ ଦାଦନ ଖଟିବା ପାଇଁ ମହାରାଷ୍ଟ୍ରର ଦେବଗଡ଼କୁ ଯାଇଥିଲୁ । ସେଠାରେ ଏକ ମାଛ ଧରା କାମରେ ଆମକୁ ଦଲାଲ ନିୟୋଜିତ କରିଥିଲା । ହେଲେ ଏବେ ଦଲାଲ ଜଣକ ଟଙ୍କା ନେଇ ଆଉ କୌଣସି ସମ୍ପର୍କ ନରଖି ଫେରାର ମାରିଛି । ସେମାନଙ୍କୁ ଗଭୀର ସମୁଦ୍ରରେ ମାଛ ଧରିବା ସହ ସମୁଦ୍ରରେ ମାସ ମାସ ଧରି ରହିବାକୁ ବାଧ୍ୟ କରାଯାଉଛି । ଟ୍ରଲର ମାଲିକମାନେ ସେମାନଙ୍କୁ ଠିକ୍ ଭାବେ ଖାଇବାକୁ ଦେଉନାହାନ୍ତି । ପ୍ରତିବାଦ କଲେ ଟ୍ରେଲର ମାଲିକ ଓ ଅନ୍ୟ କର୍ମଚାରୀମାନେ ଓଲଟା ସେମାନଙ୍କୁ ଧମକ ଚମକ ଦେଉଛନ୍ତି । ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି । ଦଲାଲ ଜଣକ ମାସିକ ୧୫ ହଜାର ଟଙ୍କା, ଖାଇବା ଓ ରହିବା ମାଗଣା ଲୋଭ ଦେଖାଇ ଆମକୁ ଆଣି ଏଠାରେ ଛାଡି ଦେଇ ପଳାଇଛି । ଏବେ ଘରକୁ ଯିବାକୁ ପାଖରେ ଟଙ୍କା ନାହିଁ । ଆମକୁ ସରକାର ଉଦ୍ଧାର କରିବା ପାଇଁ ଅମେ ଗୁହାରୀ କରୁଛୁ । ’’