ରାଉରକେଲା: ଦାଦନ ଖଟିବାକୁ ଯାଇ ଆଉ ଫେରିଲେନି ସୁରେଶ । ଗୋଆରୁ ଘରକୁ ଫେରିବା ବେଳେ ଚାଲିଗଲା ଜୀବନ । ମୃତଦେହ ଫେରାଇ ଆଣିବାକୁ ଜିଲ୍ଲାପାଳଙ୍କ ନିକଟରେ ବିନତୀ । ୭ ମାସ ତଳେ ପରିବାରର ଆବଶ୍ୟକତା ମେଣ୍ଟାଇବାକୁ ଗୋଆକୁ ଯାଇଥିଲେ । ରେଳ ଲାଇନ ନିକଟରେ ସୁରେଶଙ୍କ ମୃତଦେହ ପଡ଼ି ଥିବା ଖବର ଦେଇଛନ୍ତି ରେଲବାଇ ପୋଲିସ ।
ଦାଦନ ଖଟି ଗୋଆରୁ ଘରକୁ ଫେରିବା ବେଳେ ଚାଲିଗଲେ ଜୀବନ । ମୃତକ ଜଣକ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକର କୁକରିଡିହି ଗ୍ରାମର ସୁରେଶ ଲାରଙ୍ଗ । ପ୍ରାୟ ୭ ମାସ ତଳେ ପରିବାରର ଆବଶ୍ୟକତା ମେଣ୍ଟାଇବାକୁ ଦାଦନ ଖଟିବାକୁ ଗୋଆକୁ ଯାଇଥିଲେ ସୁରେଶ । ତେବେ ପ୍ରାୟ ସାତ ମାସ ପରେ କିଛି ପଇସା ନେଇ ଗୋଆରୁ ଘରକୁ ଫେରୁଥିବା ବେଳେ ବାଟରେ ଘଟିଛି ସନ୍ଦେହଜନକ ମୃତ୍ୟୁ । ଗୋଆରୁ ବାହାରିବା ସମୟରେ ପରିବାର ଲୋକଙ୍କୁ ଫୋନ କରି ଜଣାଇଥିଲେ । ମାତ୍ର ଗତକାଲି ସକାଳୁ ଆନ୍ଧ୍ରପ୍ରଦେଶର ବିଜୟଓ୍ଵାଡା ନିକଟସ୍ଥ ହୁବଲି ରେଲବାଇ ପୋଲିସ ଫୋନ କରି ଜଣାଇଥିଲା ଯେ, ରେଳଲାଇନ ନିକଟରେ ସୁରେଶଙ୍କ ମୃତଦେହ ପଡ଼ିରହିଛି । ଖବର ପାଇବା ପରେ ପୁରା ପରିବାର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ମୃତଦେହ ଫେରାଇ ଆଣିବାକୁ ପରିବାର ଲୋକ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କରିଛନ୍ତି ।