ସୁନ୍ଦରଗଡ: ଗ୍ରୀନ୍ ଇଣ୍ଡିଆ ମିଶନ (ଜି.ଆଇ.ଏ.ଏମ) ଟଙ୍କା ନ ପାଇବାରୁ ଶ୍ରମଦାନ କରିଥିବା ଶ୍ରମିକ ମାନେ ଆଜି ସୁନ୍ଦରଗଡ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ଜଙ୍ଗଲ ବିଭାଗର ଆଦେଶରେ ଏମାନେ ଗତ ମାର୍ଚ୍ଚ ମାସରୁ କାମ ଶେଷ କରିଥିଲା ବେଳେ ଆଜି ଯାଏଁ ଏମାନଙ୍କୁ ତାଙ୍କ ଶ୍ରମର ପାଉଣା ମିଳୁ ନ ଥିବା ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଡି.ଏଫ୍.ଓଙ୍କ ଅଫିସ ଘେରାଉ କରିଛନ୍ତି। ସେମାନଙ୍କର ବକେୟା ପାଉଣା ଦିଆ ନ ଯିବା ପର୍ଯ୍ୟନ୍ତ ସେମାନେ ଅଫିସ ଘେରାଉ କରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି ।
ଶ୍ରମିକ ମାନଙ୍କର ସଠିକ ସମୟରେ ପାଉଣା ପଇଠ ନ କରିବାରୁ ଦେଖାଦେଇଛି ଏଭଳି ସମସ୍ୟା । ମୁଣ୍ଡ ଝାଳ ତୁଣ୍ଡରେ ମାରି ଲଗାତାର ଶହେ ଦୁଇ ଶହ ଦିନର ଶ୍ରମ ଦାନ କରିଥିଲେ ମଧ୍ୟ ଏହି ଶ୍ରମିକ ମାନଙ୍କୁ ତାଙ୍କ ପାଉଣା ନ ମିଳିବାରୁ ସେମାନେ ସୁନ୍ଦରଗଡ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଓ କରିଥିବା କଥା କହିଛନ୍ତି । ସୁନ୍ଦରଗଡ ସଦର ରେଞ୍ଜ ଅଧୀନ ସାଲେପାଲି ଫରେଷ୍ଟ ଜୋନର ତିଲେଇ ମଲଟି ଗ୍ରାମରେ ଏମାନେ ଗ୍ରୀନ ଇଣ୍ଡିଆ ମିଶନରେ କାମ କରିଥିଲେ । ମିଶନର କାମ ଗତ ମାର୍ଚ୍ଚ ମାସରୁ ଶେଷ ହୋଇ ସାରିଥିବା ବେଳେ ଆଜି ଯାଏଁ ଏମାନଙ୍କୁ ଟଙ୍କାଟିଏ ହେଲେ ମିଳି ନଥିବା କଥା ଏମାନେ ଅଭିଯୋଗ କରିଛନ୍ତି । ବାରମ୍ବାର ସାଲେପାଲି ଫରେଷ୍ଟ ଅଫିସ , ସଦର ରେଞ୍ଜ ଅଫିସ ଦୌଡିଦୌଡି ଏମାନେ ହଇରାଣ ହେବାପରେ ଆଜି ଏପରି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବା କହିଛନ୍ତି ।