ସୁନ୍ଦରଗଡ଼: ମାର୍ଚ୍ଚ ୨୪ ପୌର ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଜିଲ୍ଲାର ରାଜଗାଙ୍ଗପୁର, ବୀରମିତ୍ରପୁର ଏବଂ ସୁନ୍ଦରଗଡ଼ ପୌରପାଳିକାରେ ହେବ ପୌର ନିର୍ବାଚନ । ଶୃଙ୍ଖଳିତ ନିର୍ବାଚନ ପରିଚାଳନା ଉପରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଗୁରୁତ୍ୱ ଦେଇଛନ୍ତି। ପୌର ନିର୍ବାଚନକୁ ସଠିକ୍ ଭାବେ ପରିଚାଳନା କରିବା ଲାଗି ପ୍ରଶାସନ ପକ୍ଷରୁ ଗତକାଲି ସର୍ବଦଳୀୟ ବୈଠକ ଡକାଯାଇଥିଲା । ବୈଠକରେ ନିର୍ବାଚନକୁ ଶୃଙ୍ଖଳିତ କରିବା ନେଇ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ହେବା ନେଇ କହିଥିଲେ ଜିଲ୍ଲାପାଳ ।
ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲାର ୩ଟି ପୌରପାଳିକା ଅଞ୍ଚଳରେ ପୌର ନିର୍ବାଚନ କରାଯିବ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯିବା ସହ ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ଉପରେ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ପଦକ୍ଷେପ ନିଆଯିବା ନେଇ କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୌର ନିର୍ବାଚନ ହେବାକୁ ଥିବା ରାଜଗାଙ୍ଗପୁର, ବୀରମିତ୍ରପୁର ଏବଂ ସୁନ୍ଦରଗଡ଼ ପୌରପାଳିକା ଅଞ୍ଚଳରେ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିବ । ନିର୍ବାଚନକୁ ସଠିକ୍ ପରିଚାଳନା କରିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇ ସମ୍ବେଦନଶୀଳ ଏବଂ ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯିବ। ଏହି ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବାକୁ ଥିବା ଅଧିକାରୀମାନଙ୍କର ତାଲିକା ମଧ୍ୟ ଖୁବଶୀଘ୍ର ପ୍ରସ୍ତୁତ କରାଯିବ। ବୀରମିତ୍ରପୁର ପୌରପାଳିକା ପାଇଁ ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକରଙ୍କୁ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି।