ରାଉରକେଲା:ସାନ୍ତାଳି ସମ୍ପ୍ରଦାୟର ପ୍ରମୁଖ ପର୍ବ ସୋହରାଇ । ଯାହାକି ଫସଲ ଅମଳ ପରେ ପାଳିତ ହେଉଥିବା ଏକ ଲୋକପର୍ବ । ରାଉରକେଲାରେ ସାନ୍ତାଳିମାନଙ୍କ ଏହି ସୋହରାଇ ପର୍ବ ଖୁବ୍ ଧୁମଧାମରେ ପାଳନ ହୋଇଯାଇଛି । ସହରର ସେକ୍ଟର ୧୫ ସାରନା ପଡ଼ିଆ ଠାରେ ଏହାକୁ ପାଳନ କରାଯାଇଛି । ଏଥିରେ ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସାନ୍ତାଳ ଭାଇ ଓ ଭଉଣୀମାନେ ସାମିଲ୍ ହୋଇ ପାରମ୍ପରିକ ସାନ୍ତାଳୀ ଗୀତର ତାଳେ ତାଳେ ଝୁମିଥିଲେ । ସାନ୍ତାଳ ବାଦ୍ୟର ତାଳେ ତାଳେ ସୁରଭିତ ହୋଇ ଉଠୁଥିବା ସୋହରାଇ ପର୍ବ ।
ସାନ୍ତାଳ ସମ୍ପ୍ରଦାୟର ପୁରୁଷ ଓ ମହିଳା ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇ ନୃତ୍ୟ କରିଥିଲେ । ସେମାନଙ୍କ ଛନ୍ଦମୟ ପାଦୁକା ନୃତ୍ୟରେ ପ୍ରକମ୍ପିତ ହୋଇଥିଲା ସାରା ଅଞ୍ଚଳ । ଢୋଲ, ମାଦଳ, ଖୋଳର ଆକର୍ଷଣୀୟ ସଙ୍ଗୀତ ଏବଂ ମର୍ମସ୍ପର୍ଶୀ ସ୍ୱର ଏକ ମନୋମୁଗ୍ଧକର ପରିବେଶ ସୃଷ୍ଟି କରିଥିଲା । ତେବେ ସୋହରାଇ ପର୍ବ ସାନ୍ତାଳମାନଙ୍କ ପାଇଁ କେବଳ ଏକ ଉତ୍ସବ ନୁହେଁ ବରଂ ସାଂସ୍କୃତିକୁ ବଞ୍ଚାଇ ରଖିବାର ଏକ ପ୍ରୟାସ । ଏହି ପର୍ବ ସାନ୍ତାଳ ସମୁଦାୟକୁ ଏକତା ସୂତ୍ରରୁ ବାନ୍ଧି ରଖିଥାଏ । କାର୍ତ୍ତିକ ମାସରେ ପୂର୍ଣ୍ଣିମାଠାରୁ ଦୁଇ ଦିନ ପର୍ଯ୍ୟନ୍ତ ସୋହରାଇ ପର୍ବ ପାଳନ ହୁଏ । ଗାଈ, ମଇଁଷି, ଷଣ୍ଢ, ଛେଳି ଓ ମେଣ୍ଢା ଆଦି ଗୃହପାଳିତ ପଶୁଙ୍କୁ ସମ୍ମାନ ଉଦ୍ଦେଶ୍ୟରେ ଏହି ପର୍ବ ପାଳନ କରାଯାଏ ।
ଏହା ମଧ୍ୟ ପଢନ୍ତୁ: ପରବ ପଲ୍ଲିଶ୍ରୀ ମେଳାରେ ଲୋକଙ୍କ ପସନ୍ଦ କୋରାପୁଟ ମାଣ୍ଡିଆ ଓ କଫି