ରାଉରକେଲା:ଟଙ୍କା ଲୋଡ୍ କରିବା ସମୟରେଅସାବଧାନତା ହେଲା କାଳ । ବ୍ୟାଙ୍କ୍ ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି । ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଲେ 3ଜଣ ବ୍ୟାଙ୍କ ଗ୍ରାହକ । ସୁରକ୍ଷାକର୍ମୀଙ୍କ ଗୁଳିରେ 2ଜଣ ଯୁବକ ଏବଂ ଜଣେ ଯୁବତୀ ଗୁରୁତର । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ଏପରି ଅଭାବନୀୟ ଘଟଣା ଘଟିଛି । ଅସାବଧାନତା ଯୋଗୁଁ ୩ଜଣ ବ୍ୟାଙ୍କ୍ ଗ୍ରାହକ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ରାଜଗାଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଗାର୍ଡଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ରାଜଗାଙ୍ଗପୁର ICICI ବ୍ୟାଙ୍କ୍ରୁ ଟଙ୍କା ନେବାକୁ ବ୍ୟାଙ୍କ୍ ଭ୍ୟାନ୍ ଆସିଥିଲା । ଟଙ୍କାକୁ ଗାଡ଼ିରେ ଲୋଡ଼ କରିବା ବେଳେ ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ହଠାତ ଗୁଳି ଫୁଟି ଯାଇଥିଲା । ତେବେ ଏହି ଦୁର୍ଘଟଣାରେ ବ୍ୟାଙ୍କ ସାମ୍ନାରେ ଥିବା ୩ ଜଣ ବ୍ୟାଙ୍କ ଗ୍ରାହକଙ୍କ ଦେହରେ ଗୁଳି ବାଜିଥିଲା । ଘଟଣାଟି ଏତେ ଅଚାନକ ହୋଇଥିଲା ଯେ, କେହି କୌଣସି ପ୍ରତିକ୍ରିୟା ଦେବା ପୂର୍ବରୁ ଅଘଟଣ ଘଟି ଯାଇଥିଲା । ଏହି ଅଘଟଣରେ 2ଜଣ ଯୁବକ ଏବଂ ଜଣେ ଯୁବତୀ ଗୁରୁତର ଆହତ ହୋଇଥିଲେ ।
ସ୍ଥାନୀୟ ଲୋକ ଆହତଙ୍କୁ ଚିକିତ୍ସା ପାଇଁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଅଧିକ ଚିକିତ୍ସା ପାଇଁ 3ଜଣଙ୍କୁ ରାଉରକେଲା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି । ତେବେ ଲୋକେ ସୁରକ୍ଷାକର୍ମୀଙ୍କୁ ଧରି ଥାନା ଜିମା ଦେଇଛନ୍ତି । ଏହି ଘଟଣାର ପୋଲିସ ତଦନ୍ତ ଜାରି ରହିଛି । କ୍ୟାସ୍ ଭ୍ୟାନ୍ରେ ଟଙ୍କା ଲୋଡ୍ ସମୟରେ ଅଘଟଣ ବର୍ତ୍ତମାନ ସମ୍ପୂର୍ଣ୍ଣ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।