ଓଡିଶା

odisha

ETV Bharat / state

ରାଉରକେଲାରେ ଆରମ୍ଭ ହେଲା ସରସ ମେଳା, ଜମୁଛି ଲୋକଙ୍କ ଭିଡ଼ - ସରସ ମେଳା

ଦୁଲକୁଛି ରାଉରକେଲା ସହର । ହକି ବିଶ୍ୱକପ୍‌ ଉପଲକ୍ଷେ ରାଉରକେଲା ସହର ଚଳଚଞ୍ଚଳ ହୋଇଥିବା ବେଳେ ଏବେ ଆରମ୍ଭ ହୋଇଛି ସରସ ମେଳା । ଅଧିକ ପଢ଼ନ୍ତୁ

Sarasa mela in Rorkela
ରାଉରକେଲାରେ ସରସ ମେଳା

By

Published : Jan 19, 2023, 10:59 PM IST

ରାଉରକେଲାରେ ସରସ ମେଳା

ରାଉରକେଲା:ହକି ବିଶ୍ୱକପ୍‌ ଉପଲକ୍ଷେ ରାଉରକେଲା ସହରର ଭଞ୍ଜଭବନ ପଡ଼ିଆରେ ସରସ ମେଳା ଆୟୋଜିତ ହୋଇଛି । ଏହି ମେଳା ଆରମ୍ଭ ହେବାପରେ ଏବେ ସହର ଆହୁରି ଚଳଚଞ୍ଚଳ ହୋଇ ଉଠିଛି । ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଫୁଡ୍ କୋର୍ଟର ବ୍ୟବସ୍ଥା କରାଯାଇଛି । ଯାହା ଦେଖଣାହାରୀଙ୍କ ଲାଗି ବିଶେଷ ଆକର୍ଷଣ ପାଲଟିଛି । ଏହାକୁ ନେଇ ରାଉରକେଲା ସହର ବର୍ତ୍ତମାନ ଉତ୍ସବମୁଖର ହୋଇ ଉଠିଛି । ଲୋକଙ୍କ ପାଇଁ ଉପଭୋଗ କରିବା ପାଇଁ କରାଯାଇଛି ବିଭିନ୍ନ ବ୍ୟବସ୍ଥା ।

ଏହି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀ ଗୁଡ଼ିକ ନିଜ ହାତ ତିଆରି ଖାଦ୍ୟ ସାମଗ୍ରୀ, ହସ୍ତକଳା ସାମଗ୍ରୀ, ହସ୍ତତନ୍ତ ସାମଗ୍ରୀ ଆଦି ଉତ୍ପାଦ ପ୍ରଦର୍ଶନ ସହ ବିକ୍ରି କରୁଛନ୍ତି । ଏହା ଭିତରୁ କେନ୍ଦୁଝରର ବଡ଼ି ଓ କନ୍ଧମାଳ ହଳଦୀର ଚାହିଦା ଦେଖିବାକୁ ମିଳୁଛି । ଏହାବ୍ୟତୀତ କର୍ଣ୍ଣାଟକର କାଠ ତିଆରି ସାମଗ୍ରୀ, ଉତ୍ତରପ୍ରଦେଶର ସେରାମିକ୍ସ ଓ କାର୍ପେଟ ବିକ୍ରି ହେଉଛି ।

ବର୍ତ୍ତମାନ ଭୁବନେଶ୍ବର ଓ ରାଉରକେଲାରେ ହକି ପୁରୁଷ ବିଶ୍ୱକପ୍ ଚାଲିଛି । ଏହି ଅବସରରେ ସହରରେ ସରସ ମେଳାର ଆୟୋଜନ କରାଯାଇଛି । ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଓରମାସ ଏବଂ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି ମେଳା କରାଯାଉଛି । ଏଥିରେ ୨୫୦ଟି ଷ୍ଟଲ୍ ପଡ଼ିଛି । ଏହି ମେଳା ଜାନୁଆରୀ ୨୭ ତାରିଖ ଯାଏଁ ଚାଲିବ । ମେଳା ବୁଲିବାକୁ ଆସୁଥିବା ଲୋକମାନେ ଯେପରି ହକି ବିଶ୍ୱକପର ସିଧାପ୍ରସାରଣ ଦେଖିପାରିବେ ସେନେଇ ବିଶେଷ ବ୍ୟବସ୍ଥା କରାଯାଇଛି । ସାଧାରଣ ଲୋକଙ୍କ ପାଇଁ ମେଳା ପରିସରରେ ସେଲଫି ପଏଣ୍ଟ ଏବଂ ପିଲାମାନଙ୍କ ପାଇଁ ହକି ପାଭିଲିୟନ କରାଯାଇଛି ।

ଏହି ହକି ପାଭିଲିୟନରେ କୁନିକୁନି ପିଲାମାନେ ହକି ଖେଳର ମଜା ନେଉଛନ୍ତି । ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟତୀତ ମେଳାରେ ଲାଗିଥିବା ଫୁଡ୍ କୋର୍ଟରେ ପ୍ରତିଦିନ ସନ୍ଧ୍ୟାରେ ଲୋକଙ୍କ ଭିଡ଼ ଜମୁଛି । ବିଭିନ୍ନ ପ୍ରକାର ଦେଶୀ ଖାଦ୍ୟ ଖାଇବା ଲାଗି ଲୋକମାନେ ଆଗ୍ରହ ଦେଖାଉଛନ୍ତି । ଏଥିରେ କେନ୍ଦୁଝରର ପତ୍ରପୋଡ଼ା ଚିକେନର ସ୍ବାଦ ନେବା ପାଇଁ ଷ୍ଟଲ ଆଗରେ ବିଶେଷ ଭିଡ଼ ଲାଗୁଛି । ପ୍ରତ୍ୟେକ ଦିନ ଲୋକେ ଆସି ସରସ ମେଳାର ଆନନ୍ଦ ଉଠାଉଛନ୍ତି । ମେଳା ପରିସରରେ ଥିବା ଷ୍ଟଲ ଗୁଡ଼ିକ ପାଖରେ ବିଭିନ୍ନ ସାମଗ୍ରୀ ପହଞ୍ଚାଇବା ଲାଗି ପ୍ରଶାସନ ପକ୍ଷରୁ ଇ-ଅଟୋ ବ୍ୟବସ୍ଥା କରାଯାଇଛି ।

ହକି ବିଶ୍ୱକପ ଲାଗି ସମ୍ପୂର୍ଣ୍ଣ ରାଉରକେଲା ସହରରେ ବର୍ତ୍ତମାନ ଉତ୍ସବ ହେଲା ଭଳି ଲାଗୁଛି । ଲୋକଙ୍କ ପାଇଁ ନିଆରା ଅନୁଭବ ଆଣିବା ପାଇଁ କରାଯାଇଛି ବିଭିନ୍ନ ପ୍ରକାର ମେଳାର ଆୟୋଜନ। ଅନ୍ୟପକ୍ଷରେ ରାଉରକେଲା ସହରରେ ପ୍ରଥମ ଥର ପାଇଁ ଏହି ମେଳା ଆୟୋଜନ କରାଯାଉଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି । ସରସ ମେଳା ବୁଲିବାକୁ ଆସି ମିଶନ ଶକ୍ତି ମା’ମାନେ ବିକ୍ରି କରୁଥିବା ଉତ୍ପାଦକୁ କିଣିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details