ରାଉରକେଲା:ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଅଞ୍ଚଳରେ ବୁଲୁଛି ମହାବଳ ବାଘ ! ହେମଗିରି ଗର୍ଜନ ପାହାଡ଼ରେ ମହାବଳ ବାଘ ଦେଖାଯାଇଥିବା ଚର୍ଚ୍ଚା ହେଉଛି । ଏପରିକି ବାଘର ଏକ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି(Royal Bengal Tiger Spotted In Hemagiri) । ଗର୍ଜନ ପାହାଡ଼ର ମନୋହରପୁର କୋଇଲା ଖଣି ଡମ୍ପିଂ ଅଞ୍ଚଳରେ ଗତ ଗୁରୁବାର ରାତିରେ ଜଣେ ଡ୍ରାଇଭର ଗାଡ଼ି ନେଇ ଖଣିକୁ ଫେରୁଥିବା ବେଳେ ରାସ୍ତାକଡ଼ରେ ବାଘକୁ ଦେଖି ଭିଡିଓ ଉତ୍ତୋଳନ କରିଥିବା କୁହାଯାଉଛି । ତେବେ ବାସ୍ତବରେ ଭିଡ଼ିଓଟି ହେମଗିରି ଅଞ୍ଚଳର ନାଁ ନାହିଁ ସେନେଇ ତଦନ୍ତ କରୁଛି ସୁନ୍ଦରଗଡ଼ ବନ ବିଭାଗ । ତେବେ ଯଦି ଏହା ସତ ହୋଇଥାଏ, ତାହେଲେ ଜିଲ୍ଲା ପାଇଁ ଏହା ଉତ୍ସାହଜନକ ଖବର ହେବ ।
ସୂଚନାଯୋଗ୍ୟ, ଯେ ୨୦୧୮ ମେ' ମାସରେ ଏଠାରେ ଏକ ବିରଳ କଳାବାଘ ବା (ବ୍ଲାକ୍ପାନ୍ଥର) ଠାବ ହୋଇଥିଲା । ଯାହା ସୁନ୍ଦରଗଡ଼ ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଖବର ହୋଇଥିଲା । ଏହାପରେ ପରେ ଏହି ବିରଳ ବ୍ଲାକପାନ୍ଥର ବାଘ ଆଉ ଗର୍ଜନ ପାହାଡ଼ରେ ଦେଖିବାକୁ ମିଳି ନଥିଲା । ଏହାରି ମଧ୍ୟରେ ବର୍ତ୍ତମାନ ପୁଣି ଗର୍ଜନପାହାଡ଼ରେ ମହାବଳ ବାଘର ଭିଡ଼ିଓ ଭାଇରଲ ହେଉଛି । ତେବେ ମହାବଳ ବାଘ ସମ୍ପର୍କରେ ବନଖଣ୍ଡ ଅଧିକାରୀ ପ୍ରଦୀପ କୁମାର ମିରାସେଙ୍କୁ ପଚାରିବାରୁ ସେ କହିଛନ୍ତି, ''ହେମଗିର ଅଞ୍ଚଳରେ ମହାବଳ ବାଘ ଥିବାର ସଠିକ ସୂଚନା ନାହିଁ । ବାଘର ଭିଡିଓ ବନ ବିଭାଗ ଦେଖିଛି, କିନ୍ତୁ ତାହା କେଉଁ ଅଞ୍ଚଳର ସ୍ପଷ୍ଟ ନୁହେଁ । ଆମେ ଏହାର ଅନୁସନ୍ଧାନ କରିବୁ ।''