ରାଉରକେଲା: "ପୁଅ ଫେରିଆ ଆମର କିଛି ଦରକାର ନାହିଁ ଆମର ଖାଲି ତୁ ଦରକାର। ତୁ ବଞ୍ଚିଲେ ସିନା ପୁଣି ଲୋକଙ୍କ ଦାବି ଉଠାଇବୁ ତୁ ଓଲ୍ହାଇ ଆସେ।" କାନ୍ଦି କାନ୍ଦି ଏଭଳି ଭାବରେ ପୁଅକୁ ବୁଝାଇବାକୁ ଚେଷ୍ଟା କରିଛନ୍ତି ଭୁବନେଶ୍ବରେ ହୋର୍ଡିଂ ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କରିଥିବା ମୁକ୍ତିକାନ୍ତ ବିଶ୍ବାଳଙ୍କ ମାଆ । ମୁକ୍ତିକାନ୍ତ ରାଉରକେଲା ସହରବାସୀଙ୍କ ଦାବିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ ନହେବାରୁ ହୋର୍ଡିଂ ଉପରେ ବସି ଏବେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ତାଙ୍କୁ ସୁରକ୍ଷିତ ଭାବରେ ଅଗ୍ନିଶମ ବାହିନୀ କର୍ମଚାରୀ ଉଦ୍ଧାର କରିଛନ୍ତି ।
ରାଉରକେଲାର ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବିଭିନ୍ନ ପ୍ରକଳ୍ପ ଆରମ୍ଭ ହୋଇ ପାରିନାହିଁ । ଏହାକୁ ନେଇ ରାଉରକେଲାରୁ ପଦଯାତ୍ରାରେ ବାହାରି ଭୁବନେଶ୍ବରରେ ପହଞ୍ଚିଥିଲେ ମୁକ୍ତିକାନ୍ତ । ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ନହେବାରୁ ସେ ଆତ୍ମହତ୍ୟା କରିବାକୁ ପ୍ରୟାସ କରିଥିଲେ । ଏନେଇ ମୁକ୍ତିକାନ୍ତ ବିଶ୍ବାଳ କହିଥିଲେ ଯେ, "ମୁଁ ମୋ ପରିବାର ପାଇଁ ଆସିନି । ମୋ ରାଉରକେଲା ସହରର ଲକ୍ଷଲକ୍ଷ ପରିବାର ଦାବିକୁ ନେଇ ଆସିଛି । ଆଜି ଯଦି ଜୀବନ ଯିବ ମୋ ଲକ୍ଷଲକ୍ଷ ପରିବାର ପାଇଁ । ମୁଁ ମରିଗଲେ ମୋ ମାଆ ବାପାଙ୍କ ପାଇଁ ଲକ୍ଷ ଲକ୍ଷ ମୁକ୍ତିକାନ୍ତ ଆସିବେ । ଦାବି ପୂରଣ ନ ହେଲେ ମୃତ୍ୟୁ ମୋର ଶେଷ ରାସ୍ତା । ମୁଁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଡେଡଲାଇନ ଦେଉଛି ।"
ଏଥିସହ ସେ କହିଛନ୍ତି ଯେ ସରକାର ଚାହୁଁଛନ୍ତି ସେ ମରିଗଲେ ସବୁ ସମସ୍ୟାର ସମାଧାନ ହେବ । ଯଦି କିଏ ହୋର୍ଡିଂ ଉପରେ ଚଢିବାକୁ ଚେଷ୍ଟା କରିବ ସେ ବୁଝିବ । ସରକାରୀ ହସ୍ପିଟାଲର କୋଟି କୋଟି ଟଙ୍କା ପ୍ରାଇଭେଟ ହସ୍ପିଟାଲକୁ ଦେଇ ଦିଆଗଲା । ୨ ବର୍ଷରେ ହକି ଷ୍ଟାଡିୟମ ଉଦଘାଟନ ହେଇଗଲା ୯ ବର୍ଷ ହେଲା କାହିଁକି ସରକାର ନିଜର ଦାବି ପୂରଣ କରି ପାରିଲେନି ବୋଲି ପ୍ରଶ୍ନ କରିଛନ୍ତି ମୁକ୍ତିକାନ୍ତ । କୋଏଲ ବ୍ୟାରେଜ ଏବଂ କୋଏଲ ନଦୀ ପାର୍ଶ୍ବରେ ରିଂ ରୋଡ, ରାଉରକେଲା ସରକାରୀ ହସ୍ପିଟାଲକୁ କ୍ୟାପିଟାଲ ହସ୍ପିଟାଲ ଘୋଷଣା କରିଥିଲେ । ବର୍ତ୍ତମାନ ସୁଦ୍ଧା ପୂରଣ କରି ପାରିଲେନି ମୁଖ୍ୟମନ୍ତ୍ରୀ । ସମସ୍ତ ପ୍ରକଳ୍ପର ଘୋଷଣା ହୋଇଛି କିନ୍ତୁ ପୂରଣ ହୋଇନଥିବାରୁ ରାଉରକେଲା ସହରରୁ ନଭେମ୍ବର ୧୬ରେ ଏକ ମଡେଲକୁ କାନ୍ଧରେ ପକାଇ ଚାଲିଚାଲି ଭୁବନେଶ୍ବରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଯାଇଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ ନହେବାରୁ ଶିଶୁ ଭବନ ଛକ ନିକଟରେ ମୁକ୍ତିକାନ୍ତ ବିଶ୍ବାଳ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ।