ରାଉରକେଲା: କାହିଁ କେଉଁ କାଳରୁ ଦେଶରେ ଚାଲି ଆସିଛି ଗୁରୁକୁଳ ପରମ୍ପରା । ବୈଦିକ ଶିକ୍ଷା ସହ ସଂସ୍କୃତ ଶିକ୍ଷାର ପ୍ରଚଳନ ମଧ୍ୟ ଗୁରୁକୁଳ ପରି ବେଶ ପୁରୁଣା । ହେଲେ ସମୟ ସହ ଲୁପ୍ତ ପ୍ରାୟ ଏହି ସଂସ୍କୃତିକୁ ପୁଣି ଜୀବିତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ସହରର ବେଦବ୍ୟାସସ୍ଥିତ ବୈଦିକ ଗୁରୁକୁଳ ଆଶ୍ରମର ପିଲାଏ । ସଂସ୍କାର ସ୍ବରୂପ ଏଠାରେ ଦୈନିକ ଭାବେ ବୈଦିକ ରୀତିନୀତିରେ ହୋମଯଜ୍ଞ କରାଯିବାର ନିୟମ ରହିଛି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା କେବଳ ହୋମଯଜ୍ଞ ସହ ମନ୍ତ୍ର ଉଚ୍ଚାରଣ ନୁହେଁ ବରଂ ପିଲାମାନଙ୍କୁ ଏଠାରେ ଦିଆଯାଉଛି ସ୍କୁଲ ଶିକ୍ଷା ଯଥା ସଂସ୍କୃତ, ଇଂରାଜୀ ଓ ଓଡିଆ ଭାଷା ଜ୍ଞାନ । ବେଶ୍ ଶୃଙ୍ଖଳିତ ଭାବେ ଗୁରୁଶିଷ୍ୟ ପରମ୍ପରା ଅନୁଯାୟୀ ଜ୍ଞାନ ଆହରଣ କରିଥାନ୍ତି ଆଶ୍ରମର ପିଲାମାନେ । ଯାହା ବର୍ତ୍ତମାନ ସମୟରେ ପ୍ରାଚୀନ ପରମ୍ପରାକୁ ଉଜ୍ଜୀବିତ ରଖୁଥିବା ଅନୁଷ୍ଠାନମାନଙ୍କ ପାଇଁ ଏକ ଜୀବନ୍ତ ଉଦାହରଣ ।
ତେବେ ବର୍ତ୍ତମାନର ମଡର୍ଣ୍ଣ ସାଇନ୍ସ ଓ ଟେକ୍ନୋଲୋଜି ଆଗରେ ବୈଦିକ ଶିକ୍ଷା ନିଜର ମାନ ହରାଇବାକୁ ବସିଥିବା ବେଳେ ଏହା ସଂସ୍କାରକ ମନରେ ସଞ୍ଚରିଛି ନୂଆ ଆଶା । ଏହା ପିଲାମାନଙ୍କୁ ପୁରାଣର ମହତ୍ତ୍ବ ବୁଝାଇବା ସହ ନିତିଦିନ ଜୀବନରେ ଏହାର ବ୍ୟବହାର ଓ ପ୍ରଭାବକୁ ମଧ୍ୟ ବୁଝାଇଥାଏ । ଗୁରୁକୁଳ ଶିକ୍ଷା ଆମ ଦେଶର ପୁରୁଣା ବ୍ୟବସ୍ଥା ଥିଲେ ମଧ୍ୟ ଇଂଗ୍ରେଜମାନେ 1835ରେ ମକରଲୀ ଶିକ୍ଷା ବ୍ୟବସ୍ଥା ଲାଗୁ କରିବା ଯୋଗୁଁ ଗୁରୁକୁଳ ଶିକ୍ଷା ଉପରେ ଏହାର ପ୍ରଭାବ ପଡିଥିଲା । କିନ୍ତୁ ବେଦବ୍ୟାସରେ ଆରମ୍ଭ ହୋଇଥିବା ଗୁରୁକୁଳ ଆଶ୍ରମରେ ବେଦ ପୁରାଣ ସହିତ ସବୁ ମନ୍ତ୍ରର ଉଚ୍ଚାରଣ ଶିଖୁଛନ୍ତି ପିଲାଏ ।
ଆଜି ଗୁରୁ ଶିଷ୍ୟର ସମ୍ପର୍କ ବ୍ୟବସାୟିକ ହେଉ ଥିବା ବେଳେ ବେଦବ୍ୟାସ ଗୁରୁକୁଳ ଆଶ୍ରମରେ ଗୁରୁ ଶିଷ୍ୟର ସମ୍ପର୍କ ଏକ ଉଦାହରଣ ପାଲଟିଛି । ପୁରୁଣା ଗୁରୁକୁଳ ଶିକ୍ଷା ସହିତ ଆଧୁନିକ ଶିକ୍ଷାର ମିଶ୍ରଣ ଏବେ ମଧ୍ୟ ପିଲାମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇଛି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ