ରାଉରକେଲା: ଇସ୍ପାତ ନଗରୀ ରାଉରକେଲା ଉପରେ ଏବେ ସାରା ବିଶ୍ୱର ନଜର । ହକିର ଗଡ଼ ବା ହକିର ଏନ୍ତୁଡ଼ିଶାଳ ବୋଲାଉଥିବା ସୁନ୍ଦରଗଡ଼ ଜିଲ୍ଲା ବର୍ତ୍ତମାନ ବିଶ୍ୱ ଦରବାରରେ ନିଜର ଏକ ସ୍ବତନ୍ତ୍ର ପ୍ରତିଛବି ତିଆରି କରିଛି । ରାଉରକେଲା ମାଟିରେ ହକି ବିଶ୍ୱକପ ସୁରୁଖୁରୁରେ ଆୟୋଜନ ପରେ ପୁଣି FIH ପ୍ରୋ ଲିଗ୍ର ସଫଳ ଆୟୋଜନ ଯୋଗୁଁ ବିଶ୍ୱରେ ପ୍ରଶଂସା ସାଉଁଟିଛି ଏହି ସହର । ହକିର ଗଡ଼ରେ ସବୁବେଳେ ରହିଛି ହକି ପ୍ରତି ଭଲ ପାଇବା ଏବଂ ହକିର କ୍ରେଜ । ତେବେ ହକିର ମାଟିରେ ରହିଛି ହକି ନାମରେ ନାମିତ ହୋଇଥିବା ଏକ ଛକ । ଆମେ କହୁଛୁ, ରାଉରକେଲା ସହରର ପାନପୋଷ ଛକ ବିଷୟରେ ।
ତେବେ ସୁନ୍ଦରଗଡ଼ ଜିଲ୍ଲାରୁ କାହିଁ କେତେ ଖେଳାଳି ଦେଶ ଏବଂ ରାଜ୍ୟରେ ହକି ଖେଳି ସୁନ୍ଦରଗଡ଼ ମାଟି ଏବଂ ରାଉରକେଲା ମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ । ତେବେ ସମସ୍ତ ହକି ଖେଳାଳିଙ୍କୁ ଉତ୍ସର୍ଗ ହୋଇଛି ରାଉରକେଲା ସହରର ପାନପୋଷ ଛକ । ହକି ଖେଳାଳିଙ୍କ ସ୍ମୃତିକୁ ସାଇତି ରଖିବାକୁ ରାଉରକେଲା ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଥିଲା ହକି ଛକ । ଏହି ହକି ଛକରେ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଥିବା ହକି ଖେଳାଳିଙ୍କ ନାମ ରହିଛି । ଏକ ବିଶାଳ ପଥରକୁ ସୁନ୍ଦର ଭାବରେ ଏକ ସ୍ଥାନରେ ସ୍ଥାପନ କରାଯାଇଛି । ଏହି ପଥରରେ ଅଙ୍କା ଯାଇଛି ସମସ୍ତ ହକି ଖେଳାଳିଙ୍କ ନାମ । ଯେଉଁଥିରେ ରହିଛି ଦିଲ୍ଲୀପ ତିର୍କୀ, ଇଗ୍ନେସ ତିର୍କୀ, ଲାଜରୁସ ବାର୍ଲା, ସୁଭଦ୍ରା ପ୍ରଧାନ, ନମିତା ଟପ୍ପୋ, ପ୍ରବୋଧ ତିର୍କୀ, ବିରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଲିଲିମା ମିଞ୍ଜ ଆଦି ସମସ୍ତ ହକି ଖେଳାଳିଙ୍କ ନାମକୁ ଏଥିରେ ଅଙ୍କା ଯାଇଛି ।