ରାଉରକେଲା:ଷ୍ଟେସନର ଖୁବ୍ଶୀଘ୍ର ବଦଳିବ ରୂପରେଖ । ଷ୍ଟେସନ ପରିସର ଉନ୍ନତି ହେବା ସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରାଯିବ ।ଖୋର୍ଦ୍ଧା ଷ୍ଟେସନ ଭଳି ଉନ୍ନତି କରାଯାଇ ଯାତ୍ରୀ, ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ଦିଆଯିବା ସହ ଷ୍ଟେସନ ପରିସର ସିସିଟିଭି ଲାଗାଯିବ । ଏହା ସହ ରାଉରକେଲା ନିକଟବର୍ତ୍ତୀ ଅନ୍ୟ ଷ୍ଟେସନଗୁଡ଼ିକର ମଧ୍ୟ ବିକାଶ କରାଯିବ ବୋଲି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସୁବାସ ସରକାରଙ୍କ ସହ ଆଲୋଚନା ହୋଇଥିବା ରାଉରକେଲା ଚାମ୍ବର ଅଫ୍ କମର୍ସର ପୂର୍ବତନ ସଭାପତି ସୁବ୍ରତ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଗତ ୨୭ ତାରିଖରେ ଇଣ୍ଡିଆନ୍ ରେଲୱେ ଟ୍ରାଫିକ ସର୍ଭିସ( ଆଇଆର୍ଟିଏସ୍) ପକ୍ଷରୁ କୋଲକାତାରେ ଆୟୋଜିତ ଜୋନାଲ ରେଲୱେ ୟୁଜର୍ସ କନ୍ସଲଟେଟିଭ କମିଟି( ଜେୟୁସିସି)ର ୧୦୩ ତମ ସଭାରେ ରାଉରକେଲା ରେଳ ଷ୍ଟେସନର ସମସ୍ୟା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ବହୁ ପ୍ରତୀକ୍ଷିତ ତାଳଚେର ଏବଂ ବିମଳାଗଡ଼ ରେଳ ଲାଇନ୍ କାର୍ଯ୍ୟ ଶୀଘ୍ର ସାରିବାକୁ ମନ୍ତ୍ରୀଙ୍କ ନିକଟରେ ଦାବି ରଖାଯାଇଛି ।
ରାଉରକେଲା ଦେଇ ଭୁବନେଶ୍ବର ଏବଂ ନୂଆଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସ୍ ଶନିବାର ବ୍ୟତୀତ ଅନ୍ୟ ଏକ ଦିନ ଅର୍ଥାତ ସପ୍ତାହକୁ ୨ ଥର ଯିବା ପାଇଁ ଦାବି ହୋଇ ଥିବାବେଳେ ଭୁବନେଶ୍ଵରରୁ ଦିଲ୍ଳୀ ଯାଉଥିବା ଆନନ୍ଦବିହାର କ୍ରାନ୍ତି ଏକ୍ସପ୍ରେସ ସପ୍ତାହକୁ ୨ ଥର ସମ୍ବଲପୁର, ଝାରସୁଗୁଡ଼ା ଓ ରାଉରକେଲା ଦେଇ ଯିବା ପାଇଁ ଦାବି କରାଯାଇଛି । ଉକ୍ତ ଦାବି ଗୁଡିକ ବିଷୟରେ ମନ୍ତ୍ରୀ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କୁ ଜଣାଯିବ ବୋଲି କହିଥିଲେ । ସେହିଭଳି ବନ୍ଧମୁଣ୍ଡା ୟାର୍ଡରେ ଭିତ୍ତିଭୂମି ବିକାଶ କରାଯିବ । ଏଥିସହ ରାଉରକେଲା ଷ୍ଟେସନର ଦ୍ଵିତୀୟ ପ୍ରବେଶ ପଥରେ ଟିକେଟ କାଉଣ୍ଟର ଖୁବ୍ଶୀଘ୍ର କାର୍ଯ୍ୟକାରୀ ହେବ । ଷ୍ଟେସନ ଆଗରେ ଏକ ଷ୍ଟାଣ୍ଡ ନିର୍ମାଣ ପାଇଁ ମେପ୍ ପ୍ରସ୍ତୁତ କରାଯାଇଛି ବୋଲି ସୂଚନା ମିଳିଛି ।