ରାଉରକେଲା: ପ୍ରତିବାଦ ଦିବସ ଡାକରାକୁ ରାଉରକେଲା ମଟର ଚାଳକ ସଙ୍ଘ ପକ୍ଷରୁ ସମର୍ଥନ । ସର୍ବ ଭାରତୀୟ ପରିବହନ କର୍ମଚାରୀ ମହାସଂଘ ପକ୍ଷରୁ ଆସନ୍ତା ମାର୍ଚ୍ଚ ୧୩ ରୁ ୧୭ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଦିଆଯାଇଥିବା ବନ୍ଦ ଡାକରାକୁ ରାଉରକେଲା ମଟର ଚାଳକ ସଙ୍ଘ ମଧ୍ୟ ପାଳନ କରିବା । ଏହି ପରିପ୍ରେକ୍ଷୀରେ ସମସ୍ତ ମୋଟର ଚାଳକ କର୍ମଚାରୀ ମାନେ ପ୍ରତିବାଦ ଦିବସ ପାଳନ କରିବେ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟ କରିଛି ମୋଟର କର୍ମଚାରୀ ସଙ୍ଘ।
ରାଉରକେଲା ସହରର ବସ ଷ୍ଟାଣ୍ଡ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରତିବାଦ ଦିବସ ଉପଲକ୍ଷେ ସୂଚନା ଦେଇଛି । ସମସ୍ତ ସଡକ ପରିବହନ ଶ୍ରମିକମାନେ ଏଥିରେ ଯୋଗ ଦେବେ । ତେବେ ମୋଟର ଚାଳକ ବା ପରିବହନ ଶ୍ରମିକମାନଙ୍କ ନ୍ୟାର୍ଯ୍ୟ ଦାବିକୁ ନେଇ ମୋଟର କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇବ ଏବଂ ଏଥିରେ ସମସ୍ତ ପରିବହନ ଶ୍ରମିକ ମାନେ ଯୋଗ ଦେବେ । ଏହି ପ୍ରତିବାଦ ଦିବସ ପାଳନ କରିବାର ମୂଳ କାରଣ ହେଉଛି ଯେ, ପରିବହନ ସେବା ଯୋଗାଉଥିବା କର୍ମଚାରୀମାନେ ସବୁବେଳେ ଅବହେଳିତ ହେଉଛନ୍ତି । କୌଣସି ସ୍ଥାନରେ ସେମାନଙ୍କ ପାଇଁ ଭଲ ବ୍ୟବସ୍ଥା କରି ନାହାନ୍ତି ସରକାର ।
ଆଜି ମଧ୍ୟ ବହୁ ଅସୁବିଧାରେ ପରିବହନ ଶ୍ରମିକଙ୍କ ପରିବାର ଚଳୁଛନ୍ତି । ୨୪ ଘଣ୍ଟା ପରିବହନ ଯୋଗାଇ ସାଧାରଣ ଲୋକଙ୍କ ଅତ୍ୟାବଶ୍ୟକ ଯାତ୍ରା ସହ ଅନ୍ୟାନ୍ୟ ବ୍ୟବସ୍ଥାକୁ ସୁବିଧା କରୁଥିବା ବେଳେ ଆଜି ସେମାନେ ଅବହେଳିତ ବୋଲି ପରିବହନ କର୍ମଚାରୀ ମହାସଂଘ ଅଭିଯୋଗ କରିଛି । ତେବେ ପେଟ୍ରୋଲ, ଡିଜେଲର ଅହେତୁକ ଦର ବୃଦ୍ଧି, ଟୋଲ ଗେଟ୍ ଚାର୍ଜର ଅହେତୁକ ଦର ବୃଦ୍ଧି ସାଙ୍ଗକୁ ଅନ୍ୟାନ୍ୟ ନିୟମିତ ଦ୍ରବ୍ୟର ମୂଲ୍ୟ ଦ୍ବିଗୁଣିତ ହୋଇଛି । ବୀମା ପ୍ରିମିୟମ ବୃଦ୍ଧି ଭଳି ବିଭିନ୍ନ ଜିନିଷରେ ପରିବହନ କର୍ମଚାରୀମାନଙ୍କ ରକ୍ତ ଶୋଷୁଛନ୍ତି ସରକାର ବୋଲି ଅଭିଯୋଗ କରିଛି ସର୍ବ ଭାରତୀୟ ପରିବହନ କର୍ମଚାରୀ ମହାସଂଘ ।