ରାଉରକେଲା:ଆଜି ୧୨ ଘଣ୍ଟିଆ ରାଉରକେଲା ବନ୍ଦ । ଇସ୍ପାତ ନଗରୀରେ ଥିବା ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଆପୋଲୋକୁ ହସ୍ତାନ୍ତରକୁ ବିରୋଧ କରି ନାଗରିକ ସୁରକ୍ଷା କମିଟି ପକ୍ଷରୁ ଆଜି ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରାଯାଉଛି । ସହରରେ ବନ୍ଦର ଆଶିଂକ ପ୍ରଭାବ ଦେଖିବାକୁ ମିଳୁଛି । ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଥିବାରୁ ବନ୍ଦକୁ ଆଶିଂକ ଭାବେ ପାଳନ କରାଯାଇଛି । ଏହା ଯୋଗୁଁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିବାବେଳେ ଦୋକାନ ବଜାର ବନ୍ଦ ରହିଛି । ତେବେ ଏଥିରୁ ସମସ୍ତ ଜରୁରୀକାଳୀନ ସେବା ଔଷଧ ଦୋକାନ, ଡାକ୍ତରଖାନା, ଆମ୍ବୁଲାନ୍ସ, ବିଦ୍ୟୁତ ସେବା, ଶିକ୍ଷାନୁଷ୍ଠାନକୁ ବାଦ୍ ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ସାରା ସହରରେ ଚକା ଜାମ ରହିବ ।
ନାଗରିକ ସୁରକ୍ଷା କମିଟିର କହିବା କଥା, ଦେଶର ଟିକସଦାତାଙ୍କ ଟଙ୍କାରେ ନିର୍ମିତ ରାଉରକେଲା ସୁପର ସ୍ପେସାଲିଟି ହସ୍ପିଟାଲକୁ ଆପୋଲୋକୁ ଟେକି ଦିଆଯାଇଛି । ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ପ୍ରତି ବିଶ୍ବାସଘାତକତା ବରଦାସ୍ତ କରାଯିବ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହାରେ ରାଉରକେଲାରେ ଆଇଜିଏଚ୍ ପରିସରରେ ସୁନ୍ଦରଗଡ଼ ଜିଲ୍ଲା ଏବଂ ଆଖପାଖ ଜିଲ୍ଲା ସମେତ ପଡୋଶୀ ରାଜ୍ୟର ଜନସାଧାରଣଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଏକ ସୁପର ସ୍ପେସାଲିଟି ହସ୍ପିଟାଲ ଓ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ଘୋଷଣା କରିଥିଲେ । ପ୍ରତିଶ୍ରୁତିକୁ ରକ୍ଷା କରିବାକୁ ଯାଇ ସାଧାରଣ ଟିକସଦାତାଙ୍କ ୪୦୦ କୋଟି ଟଙ୍କାରେ ରାଉରକେଲାରେ ଏକ ସୁପର ସ୍ପେସାଲିଟି ହସ୍ପିଟାଲ ନିର୍ମାଣ କରାଯାଇଥିଲା ।