ରାଉରକେଲା: ବହୁଚର୍ଚ୍ଚିତ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲାକୁ ଇତିମଧ୍ୟରେ ଅଢେଇ ମାସ ବିତିଲାଣି ତଥାପି ପୋଲିସ ହାତ ଖାଲି । ସୁସ୍ମିତାଙ୍କ ରହସ୍ୟମୟ ମୃତ୍ୟୁ ପଛର ସତ୍ୟତା କେବେ ସାମ୍ନାକୁ ଆସିବ ତାଙ୍କୁ ନେଇ ସମସ୍ତଙ୍କ ମନରେ ଉଙ୍କି ମାରୁଛି ପ୍ରଶ୍ନ । ପୋଷ୍ଟମର୍ଟମ ଏବଂ ଭିସେରା ରିପୋର୍ଟ ଆସିଲା ପରେ ମଧ୍ୟ ତାଙ୍କର ମୃତ୍ୟୁ ଉପରୁ ପରଦା ଉଠିପାରିନି । ତେବେ ବର୍ତ୍ତମାନ ମଧ୍ୟ ପୋଲିସ ସତ୍ୟତା ଠାରୁ ବହୁ ଦୂରରେ ବୋଲି ଅନୁମାନ କରାଯାଉଛି । ପାଖାପାଖି ଅଢେଇ ମାସରୁ ଅଧିକ ଦିନ ବିତିଲା ପରେ ମଧ୍ୟ ତଦନ୍ତ ଫଳ ଶୂନ୍ୟ ରହିଛି । ଏହି ମୃତ୍ୟୁ ପଛରେ କିଏ ଏବଂ କାହା ଚାପରେ ଆସି ଆସିଷ୍ଟାଣ୍ଟ କଲେକ୍ଟର ପ୍ରାଣ ହରାଇଲେ ତାହା କେବେ ଉନ୍ମୋଚନ ହେବ ସେନେଇ ଅପେକ୍ଷା ରହିଛି । ବର୍ତ୍ତମାନ ଏଚଆରପିସି ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲାର ଛାନଭିନ କରୁଛି ।
ଗତ ସେପ୍ଟେମ୍ବର ୧୯ ତାରିଖରେ ରାଉରକେଲା ସେନ୍ସରୀ ପାର୍କରେ ପୋଖରୀ ମଧ୍ୟରୁ ଉଦ୍ଧାର ହୋଇଥିଲା ଆସିଷ୍ଟାଣ୍ଟ କଲେକ୍ଟରଙ୍କ ମୃତଦେହ । ଏହାପରେ ପରିବାର ଲୋକେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ । ତାଙ୍କ ମରଶରୀରରେ ଦାଗ ରହିଥିବା ଦାବି କରି ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ ଅଭିଯୋଗ ହୋଇଥିଲା । ଏହାପରେ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ମାତ୍ର କିଛି ସୁରାକ ନମିଳିବାରୁ ଏଚଆରପିସିକୁ ତଦନ୍ତ ଭାର ହସ୍ତାନ୍ତର ହେଲା । ଏହି ମାମଲାରେ ଏଚଆରପିସି ଜଣକ ପରେ ଜଣଙ୍କୁ ଜେରା କରୁଛି ।
ପ୍ରଥମେ ବିଡିଓ ଏବଂ ସିଡିପିଓଙ୍କୁ ଜେରା କରାଯାଇଥିଲା । ଏହାପରେ ସୁସ୍ମିତାଙ୍କ ସ୍ୱାମୀଙ୍କୁ ମଧ୍ୟ ଜେରା କରାଯାଇଥିଲା । ତେବେ ଗୁରୁଣ୍ଡିଆ ବିଡ଼ିଓ ନିଜେ ସ୍ୱୀକାର କରିଥିଲେ ଯେ, ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସେ ସୁସ୍ମିତାଙ୍କ ପରିବାର ନିକଟକୁ ଯାଇ ସୁସ୍ମିତା ଡିପ୍ରେସନରେ ଥିବା କଥା କହିଥିଲେ । ପାରିବାରିକ ମାମଲାରୁ ନେଇ ବୃତ୍ତିଗତ ମାମଲା ସବୁ ଦିଗରୁ ତଦନ୍ତ କରିଥିଲା ତଦନ୍ତକାରୀ ଟିମ । ତେବେ ଅଫିସରେ କ'ଣ ଘଟିଥିଲା ଏବଂ କେଉଁଥିପାଇ ସୁସ୍ମିତାଙ୍କ ମାନସିକ ସ୍ଥିତି ଭଲ ନଥିଲା ଏସବୁ ପ୍ରଶ୍ନର ଉତ୍ତର ଆଜିବି ପ୍ରଶ୍ନ ହୋଇ ରହିଛି । ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା କୌଣସି ଅଗ୍ରଗତି ହୋଇନଥିବା ସୂତ୍ରରୁ ସୂଚନା ମିଳିଛି ।