ସୁନ୍ଦରଗଡ: ଢାବାରେ ଶୋଇଥିବାବେଳେ ଢାବା ମାଲିକଙ୍କୁ ଦଳି ମାରିଦେଲା ହାତୀ । କୋଇଡ଼ା ବନାଞ୍ଚଳ ଶଙ୍ଖପଡା ଗ୍ରାମରେ ଆଜି ପାହାନ୍ତିଆରେ ଘଟିଛି ଏହି ଅଭାବନୀୟ ଘଟଣା l ହାତୀ ପଲ ଉକ୍ତ ଅଞ୍ଚଳରେ ତାଣ୍ଡବ କରିବା ସହ ଗୋଟିଏ ଢାବାକୁ ଆକ୍ରମଣ କରିବା ଫଳରେ ଢାବାରେ ଶୋଇଥିବା ଭୀମସେନ ଚୌଧୁରୀ ନାମକ ଜଣେ 55 ବର୍ଷୀୟ ବ୍ୟକ୍ତି ଘଟଣାସ୍ଥଳରେ ପ୍ରାଣ ହରାଇଥବା ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ ଭୀମସେନ ତାଙ୍କ ଢାବାରେ ଶୋଇଥିବାବେଳେ ହାତୀପଲ ହଠାତ ମାଡି ଯାଇଥିଲେ । ଖବର ପାଇ କୋଇଡ଼ା ବନାଞ୍ଚଳ ଅଧିକାରୀ କାଜଲ କୁମାରୀ ନାୟକ, ବଣାଇଁ ସହକାରୀ ବନ ସଂରକ୍ଷକ ମହେନ୍ଦ୍ର ନାଥ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏହା ସହ ମୃତଦେହ ସତ୍କାର ପାଇଁ ତୁରନ୍ତ ମୃତକଙ୍କ ପରିବାରକୁ 10 ହଜାର ଟଙ୍କା ଅଗ୍ରୀମ ସହାୟତା ପ୍ରଦାନ କରାଯାଇଛି ।