ରାଉରକେଲା:ପୂରଣ ହୋଇପାରୁନହିଁ ବହୁ ଦିନର ଲୋକଙ୍କ ଦାବି । ଆଜି ମଧ୍ୟ ଅଟକି ରହିଛି ବହୁ ପ୍ରତୀକ୍ଷିତ ପ୍ରକଳ୍ପ । ତାଳଚେର-ବିମଲାଗଡ଼ ରେଳ ପ୍ରକଳ୍ପକୁ ନେଇ ଚିନ୍ତାରେ ଜିଲ୍ଲାବାସୀ । କାହିଁକି ହୋଇପାରୁନହିଁ ଏହି ପ୍ରକଳ୍ପ ? କିଏ କରୁଛି ଅବହେଳା ? ଏମିତି ଅନେକ ପ୍ରଶ୍ନ ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟଣାଓଟରାରେ ଲୋକେ ହନ୍ତସନ୍ତ ହେଉଛନ୍ତି । ସେପଟେ ସୁନ୍ଦରଗଡ଼ ଏବଂ ଦେବଗଡ଼ ଜିଲ୍ଲାରେ ଜମି ଅଧିଗ୍ରହଣ ଅଟକି ରହିଥିବା ସୂଚନା ମିଳିଛି । ଏହି ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଅନେକ ସଂଗଠନ ଦାବି କରିଛନ୍ତି ।
ଏହି ପ୍ରକଳ୍ପକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଟଣାଓଟରା ପରିସ୍ଥିତି ଉପୁଜିଛି । ରାଜ୍ୟ କହୁଛି କେନ୍ଦ୍ର ସରକାର ଅର୍ଥ ଦେଉ ନାହାନ୍ତି ଏବଂ କେନ୍ଦ୍ର କହୁଛି ରାଜ୍ୟ ସରକାର ଜମି ଅଧିଗ୍ରହଣ କରୁନାହିଁ । ଏହି ରାଜନୈତିକ ଟଣାଓଟରାରେ ପେଶି ହେଉଛନ୍ତି ଜନ ସାଧାରଣ । କେବେ ହେବ ବହୁ ପ୍ରତୀକ୍ଷିତ ତାଳଚେର ବିମଳାଗଡ ରେଳ ଲାଇନ ତାହାକୁ ଅପେକ୍ଷା କରିଛନ୍ତି ଲୋକେ । ପ୍ରଶାସନର ଏବଂ ସରକାରଙ୍କ ଇଚ୍ଛାଶକ୍ତି ଅଭାବରୁ ଅଟକି ରହିଛି ବହୁ ପ୍ରତୀକ୍ଷିତ ଏହି ତାଳଚେର ବିମଲାଗଡ଼ ରେଳ ପ୍ରକଳ୍ପ । ରେଳ ବିଭାଗର ଅବହେଳା ଯୋଗୁଁ ପ୍ରକଳ୍ପ ହୋଇପାରୁନଥିବା ଚର୍ଚ୍ଚା ହେଉଛି ।
ଏହାକୁ ନେଇ ପୁଣି ତେଜିଛି ଦାବି । ରେଳ ଲାଇନ ପ୍ରକଳ୍ପକୁ ତ୍ବରାନ୍ବିତ କରିବା ପାଇଁ ଦାବି କରିଛନ୍ତି ରେଳ ଆକ୍ସନ କମିଟି, ନାଗରିକ ମଞ୍ଚ ସହ ଅନ୍ୟାନ୍ୟ ୩୨ଟି ସାମାଜିକ ସଂଗଠନ । ଏହି ରେଳପଥକୁ ନେଇ ପୁଣି ବିଶାଳ ଆନ୍ଦୋଳନ ହେବ ବୋଲି କହିଛି ତାଳଚେର ବିମଲାଗଡ଼ ରେଳ ଆକ୍ସନ କମିଟି । ସୁନ୍ଦରଗଡ଼ ଜିଲ୍ଲା ନୁହେଁ ସମ୍ପୂର୍ଣ୍ଣ ରାଜ୍ୟର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ହେଉଛି ଏହି ତାଳଚେର ବିମଲାଗଡ଼ ରେଳ ପଥ ପ୍ରକଳ୍ପ । ତେବେ ଏହି ରେଳ ଲାଇନ ହୋଇଗଲେ ପଶ୍ଚିମ ଓଡିଶାର ଲୋକଙ୍କ ପାଇଁ ଏହା ଖୁବ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । କିନ୍ତୁ ରେଳ ବିଭାଗର ପ୍ରକଳ୍ପ ପ୍ରତି ଆନ୍ତରିକତା ନଥିବାରୁ ଆଜି ଯାଏଁ ହୋଇ ପାରୁନାହିଁ ଜମି ଅଧିଗ୍ରହଣ ।
ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୫୩୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, କିନ୍ତୁ କାର୍ଯ୍ୟ ଶୂନ । ଏହି ରେଳପଥ ପ୍ରକଳ୍ପ ପଶ୍ଚିମ ଓଡ଼ିଶାକୁ ପୂର୍ବ ଓଡ଼ିଶା ସହ ଯୋଡିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ । ଏହା ଯୋଗୁଁ ଭୁବନେଶ୍ବରକୁ ରାଉରକେଲା ସହରରୁ ୩ରୁ ୪ଘଣ୍ଟା ମଧ୍ୟରେ ସୁବିଧାରେ ଲୋକେ ପହଞ୍ଚିପାରିବେ । ଯାହା ବର୍ତ୍ତମାନ ପ୍ରାୟ ୮ରୁ ୧୦ଘଣ୍ଟା ସମୟ ଲାଗୁଛି । ତେବେ ବାରମ୍ବାର ଦାବି ସତ୍ତ୍ବେ ଜମି ଅଧିଗ୍ରହଣ କରିବାରେ ବିଫଳ ହୋଇଛି ସୁନ୍ଦରଗଡ଼ ଜିଲ୍ଲା ଏବଂ ଦେବଗଡ଼ ଜିଲ୍ଲା । ସମ୍ପୂର୍ଣ୍ଣ ଜମି ଅଧିଗ୍ରହଣ ଅଟକି ରହିଛି ଏହି ସୁନ୍ଦରଗଡ଼ ଜିଲ୍ଲା ଏବଂ ଦେବଗଡ଼ ଜିଲ୍ଲାରେ ।