ରାଉରକେଲା:ଆଉ ଦିନ କେଇଟା ଗଲେ ରାକ୍ଷୀ ପୂର୍ଣ୍ଣିମା । ଭାଇ ହାତରେ ରାକ୍ଷୀ ବାନ୍ଧି ଭଉଣୀ ଲୋଡ଼ିବ ସୁରକ୍ଷାର ପ୍ରତିଶୃତି । ଏଥିପାଇଁ ରାଉରକେଲା ସହରରେ ଆରମ୍ଭ ହେଲାଣି ରାକ୍ଷୀ ବ୍ୟବସାୟ । ହେଲେ ଖାଁ ଖାଁ ରାକ୍ଷୀ ବଜାର । ଗ୍ରାହକ ଆସୁନଥିବାରୁ ମୁଣ୍ଡରେ ହାତ ଦେଲେଣି ବେପାରୀ । ଚଳିତ ବର୍ଷ ବେପାର ସମ୍ପୂର୍ଣ୍ଣ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଲକ୍ଷଲକ୍ଷ ଟଙ୍କାର ରାକ୍ଷୀ ଆଣି ଚିନ୍ତାରେ ବ୍ୟବସାୟୀ ।
ଆଉ ୭ ଦିନ ପରେ ରାକ୍ଷୀ ପୂର୍ଣ୍ଣିମା । ଏବେଠୁ ରାକ୍ଷୀ ବଜାରରେ ଲୋକଙ୍କ ଗହଳି ହେବା କଥା । ହେଲେ ଚଳିତ ବର୍ଷ ରାଉରକେଲା ରାକ୍ଷୀ ବଜାରରେ ସେଭଳି କିଛି ଦୃଶ୍ୟ ଦେଖିବାକୁ ମିଳିନାହିଁ । ଗ୍ରାହକ ଆସୁ ନଥିବାରୁ ମାନ୍ଦା ବେପାରକୁ ନେଇ ବ୍ୟବସାୟୀ ହତାଶ ହୋଇ ପଡ଼ିଛନ୍ତି । ଲକ୍ଷ ଲକ୍ଷ ଟଙ୍କାର ରାକ୍ଷୀ ଆଣି କ୍ଷତି ସହୁଛନ୍ତି ବେପାରୀ । ଅନ୍ଲାଇନ୍ ସପିଂ ସାଇଟରେ ଏବେ ବିଭିନ୍ନ ପ୍ରକାର ରାକ୍ଷୀ ଉପଲବ୍ଧ । ବିନା ପରିଶ୍ରମରେ ଗୋଟିଏ କ୍ଲିକ୍ରେ ଘରେ ଆସି ମନ ପସନ୍ଦର ରାକ୍ଷୀ ପହଞ୍ଚୁଛି । ତେଣୁ ଲୋକେ ବାହାରକୁ ନଯାଇ ଅନ୍ଲାଇନ୍ରେ ରାକ୍ଷୀ ସପିଂ କରିବାକୁ ପସନ୍ଦ କରୁଛନ୍ତି । ଯାହାର ସିଧାସଳଖ ପ୍ରଭାବ ରାକ୍ଷୀ ବଜାର ଉପରେ ପଡ଼ୁଛି । ବର୍ତ୍ତମାନ ମାର୍କେଟର ଅବସ୍ଥା ଦେଖି ବ୍ୟବସାୟୀ ହତାଶ ହୋଇପଡ଼ିଛନ୍ତି । ରାକ୍ଷୀ ପୂର୍ଣ୍ଣିମା ବଜାର ହ୍ରାସର ଏକ ପ୍ରମୁଖ କାରଣ ହେଉଛି ଅନଲାଇନ୍ ସପିଂ ପ୍ଲାଟଫର୍ମର ବୃଦ୍ଧି । ଫ୍ଲିପ୍କାର୍ଟ ଏବଂ ଆମାଜନ୍ ଭଳି ଇ-କମର୍ସ କମ୍ପାନୀ ଗ୍ରାହକଙ୍କ ପାଇଁ ଘରେ ବସି ଆରାମରେ ରାକ୍ଷୀ ଦେଖିବା ଏବଂ କିଣିବା ସହଜ କରିଦେଇଛି । ଏହି ପ୍ଲାଟ୍ଫର୍ମ୍ଗୁଡ଼ିକ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ପ୍ରକାରର ବିକଳ୍ପ ଗ୍ରାହକମାନଙ୍କୁ ପାରମ୍ପରିକ ଷ୍ଟୋର୍ଠାରୁ ଦୂରେଇ ଦେଇଛି । ଉପଭୋକ୍ତାଙ୍କ ବ୍ୟବହାରରେ ଏହି ପରିବର୍ତ୍ତନ ସ୍ଥାନୀୟ ବିକ୍ରେତାଙ୍କ ବା ଅଫଲାଇନ ଖୁଚୁରା ବ୍ୟବସାୟୀ ପାଇଁ ଚିନ୍ତାର ବିଷୟ ପାଲଟିଛି ।