ଓଡିଶା

odisha

ETV Bharat / state

ଟ୍ରେନ ରହଣି ଦାବିରେ ବାମରାରେ ରେଳ ରୋକ, ଯାତ୍ରୀ ହନ୍ତସନ୍ତ - ବାମରା ରେଳ ଷ୍ଟେସନରେ ଆନ୍ଦୋଳନ

ବାମରା ରେଳ ଷ୍ଟେସନରେ ଟ୍ରେନ ରହଣି ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ରେଳ କ୍ରିୟାନୁଷ୍ଠାନ କମିଟି । ଆନ୍ଦୋଳନ ଯୋଗୁଁ ରାଉରକେଲା ରେଳ ଷ୍ଟେସନରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ । ଅଧିକ ପଢ଼ନ୍ତୁ

ଟ୍ରେନ ରହଣି ଦାବିରେ ବାମରାରେ ରେଳ ରୋକ
protest at bamra railway station

By

Published : Feb 22, 2023, 6:41 PM IST

ଟ୍ରେନ ରହଣି ଦାବିରେ ବାମରାରେ ରେଳ ରୋକ

ରାଉରକେଲା: ବାମରା ରେଳ ଷ୍ଟେସନରେ ଟ୍ରେନ ରହଣି ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ରେଳ କ୍ରିୟାନୁଷ୍ଠାନ କମିଟି । ପୂର୍ବରୁ ରହୁଥିବା ଟ୍ରେନଗୁଡ଼ିକ ପୁନର୍ବାର ରହିବାକୁ ଦାବି କରାଯାଇଛି । ସକାଳୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରେଳ ରୋକ କରାଯାଇଛି । ବନ୍ଦ ପାଳନ ଯୋଗୁଁ ଅନେକ ଟ୍ରେନ ଅଟକି ରହିଛି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

ଅଟକି ରହିଛି ଟ୍ରେନ, ହଇରାଣ ହେଉଛନ୍ତି ଲୋକେ । ଟ୍ରେନ ଅପେକ୍ଷାରେ ରାଉରକେଲା ରେଳ ଷ୍ଟେସନରେ ଅନେକ ଯାତ୍ରୀ ବସି ରହିଛନ୍ତି । ସମ୍ବଲପୁର - ରାଉରକେଲା ରୁଟରେ ଟ୍ରେନ ଚଳାଚଳ ବନ୍ଦ ହୋଇଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଯୋଗୁଁ ସକାଳୁ ଆସି ହଇରାଣ ହରକତ ହେଉଛନ୍ତି ଯାତ୍ରୀ । ବାମରା ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ବାମରା ରେଳ ଷ୍ଟେସନ ଏବଂ ଏହାର ଆଖପାଖ ଅଞ୍ଚଳର ବନ୍ଦ ପାଳନ କରାଯାଇଛି । ଫଳରେ ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ବାମରା ରେଳ ଷ୍ଟେସନରେ ବିଭିନ୍ନ ଟ୍ରେନ ରହଣି ଦାବିରେ ରେଳ ରୋକ କରାଯାଇଛି । ଏହାସହ ବାମରା ଟାଉନ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

ବାମରା ରେଳ ଷ୍ଟେସନରେ କୋରୋନା ପୂର୍ବରୁ ବହୁ ଗୁଡିଏ ଟ୍ରେନର ରହଣି ଥିଲା । ଯେଉଁଥି ପାଇଁ ଏହି ଅଞ୍ଚଳର ଲୋକେ ସହଜରେ ଟ୍ରେନ ସେବା ପାଇପାରୁଥିଲେ । ମାତ୍ର କୋରୋନା ପରେ ସେହି ସବୁ ଟ୍ରେନ ରହଣି ଉଚ୍ଛେଦ କରାଯାଇଛି । ବାମରା ରେଳ ଷ୍ଟେସନଟି ହାୱାଡା-ମୁମ୍ବାଇ ଦକ୍ଷିଣପୂର୍ବ ରେଳ ପଥ ଅଧୀନରେ ଯାଉଥିବା ବେଳେ ଏହାର ଡିଭିଜନ ଅଫିସ ଚକ୍ରଧରପୁର ଓ ମୁଖ୍ୟାଳୟ କୋଲକତାରେ ରହିଛି । ତେବେ ଦକ୍ଷିଣପୂର୍ବ ରେଳବାଇ ବିଭିନ୍ନ ସମୟରେ ଚାଲୁଥିବା ବହୁ ଗୁଡିଏ ଟ୍ରେନର ରହଣିକୁ ଉଚ୍ଛେଦ କରିଛି । ଯାହାକୁ ନେଇ ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ତୀବ୍ର ଆନ୍ଦୋଳନ କରାଯାଇଛି । ଏହା ପୂର୍ବରୁ ମଧ୍ୟ ଟ୍ରେନ ରହଣି ଦାବିକୁ ନେଇ ଆନ୍ଦୋଳନ କରାଯାଇଥିଲା । ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୨୦୨୦ ଏବଂ ୨୦୨୨ରେ ରେଳରୋକ କରିଥିବା ବେଳେ ବିଭାଗୀୟ ଅଧିକାରୀମାନେ ଟ୍ରେନ ରହଣିର ପ୍ରତିଶୃତି ଦେଇଥିଲେ ।

କିଛି ଦିନ ଟ୍ରେନ ରହଣି ହେବା ପରେ ଏହା ପୁନଃ ବାତିଲ କରିଦିଆଗଲା l ପ୍ରତିବାଦରେ ଆଜି ପୁଣିଥରେ ରେଳ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନକୁ ଓହ୍ଲାଇଛି । ଶହଶହ ମହିଳା ଓ ପୁରୁଷ ରେଳ ଧାରଣା ଉପରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି । ମିଳିଥିବା ସୂଚନା ଅନୁସାରେ ଉତ୍କଳ ଏକ୍ସପ୍ରେସ ସିନି ଷ୍ଟେସନରେ ଏବଂ ତପସ୍ୱିନୀ ଏକ୍ସପ୍ରେସ ଝାରସୁଗୁଡା ଷ୍ଟେସନରେ ଅଟକି ରହିଛି ।

ରାଉରକେଲା ଏବଂ ରାଜଗାଙ୍ଗପୁର ଷ୍ଟେସନରେ ମଧ୍ୟ ବହୁ ଟ୍ରେନ ଅଟକି ରହିଥିବାର ସୂଚନା ମିଳିଛି । ତେବେ ରାଉରକେଲା ରେଳ ଷ୍ଟେସନ ଦେଇ ଯିବାକୁ ଥିବା ଟ୍ରେନ ସମ୍ବଲପୁର-ବନାରସ ଏକ୍ସପ୍ରେସ, ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ, ପୁରୀ-ରାଉରକେଲା ଏକ୍ସପ୍ରେସ, ଟାଟା-ଇତ୍ ବାରି ଏକ୍ସପ୍ରେସ, ହାଉଡା-ଟିଟିଲାଗଡ଼ ଏକ୍ସପ୍ରେସ, କଣ୍ଟାବାଞ୍ଜି-ଟିଟିଲାଗଡ଼-ହଉଡା ଇସ୍ପାତ ଏକ୍ସପ୍ରେସକୁ ବାତିଲ କରାଯାଇଛି । ସେହିପରି ବହୁ ଗୁଡିଏ ଟ୍ରେନକୁ ଆଜି ଅଧାରୁ ବାତିଲ କରିବା ସହ ଟ୍ରେନ ଗୁଡିକର ଦିଗ ବଦଳ କରାଯାଇଛି।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details