ଓଡିଶା

odisha

ପାସେଞ୍ଜର ଟ୍ରେନ ରହଣୀ ଦାବିରେ କଲୁଙ୍ଗା ରେଳ ଷ୍ଟେସନରେ ରେଳ ରୋକ ପ୍ରତିବାଦ

By

Published : Apr 30, 2023, 2:10 PM IST

କଲୁଙ୍ଗା ରେଳ ଷ୍ଟେସନରେ ପାସେଞ୍ଜର ଟ୍ରେନ ରହଣୀ ଦାବିରେ ରେଳ ରୋକ କଲା କଲୁଙ୍ଗା ବିକାଶ ପରିଷଦ । ଅଧିକ ପଢନ୍ତୁ

Rail rok in Kalunga railway station
Rail rok in Kalunga railway station

Rail rok in Kalunga railway station

ରାଉରକେଲା: କଲୁଙ୍ଗା ରେଳ ଷ୍ଟେସନରେ ଟ୍ରେନ ରହଣୀ ଦାବିରେ ରେଳ ରୋକ । ପାସେଞ୍ଜର ଟ୍ରେନ ଷ୍ଟେସନରେ ରହଣୀକୁ ନେଇ ରେଳରୋକ ସହ ବିକ୍ଷୋଭ ପ୍ରଦର୍ଶନ କଲା ରାଉରକେଲା କଲୁଙ୍ଗା ବିକାଶ ପରିଷଦ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିକ୍ଷୋଭ ପ୍ରଦର୍ଶନ ସହ ରେଳ ରୋକ ଜାରି ରହିବ ବୋଲି କଲୁଙ୍ଗା ବିକାଶ ପରିଷଦ ତରଫରୁ କୁହାଯାଇଛି । କଲୁଙ୍ଗା ଅଞ୍ଚଳବାସୀ ଏହି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଛନ୍ତି ।

କୋରୋନା ପୂର୍ବରୁ କଲୁଙ୍ଗା ରେଳ ଷ୍ଟେସନରେ ବହୁ ପାସେଞ୍ଜର ଟ୍ରେନ ରହଣୀ କରୁଥିଲା । କିନ୍ତୁ କୋରୋନା ସମୟରେ ଗାଇଡ଼ ଲାଇନ ଅନୁଯାୟୀ ରେଳବାଇ କଲୁଙ୍ଗା ରେଳ ଷ୍ଟେସନରେ ପାସେଞ୍ଜର ଟ୍ରେନ ରହଣୀକୁ ରଦ୍ଦ କରିଥିଲା । ପ୍ରଥମେ କୁହାଗଲା ଯେ କେବଳ କୋଭିଡ ପାଇଁ ରହଣୀ ବନ୍ଦ କରାଯାଇଛି କିନ୍ତୁ କୋଭିଡ କଟକଣା ହଟିବା ପରେ ମଧ୍ୟ ଏଠାରେ ଆଜି ପର୍ଯ୍ୟନ୍ତ କୌଣସି ପାସେଞ୍ଜର ଟ୍ରେନ ରହଣୀ କରୁନାହିଁ । କୋଭିଡ ପୂର୍ବରୁ ତପଶ୍ବିନୀ, ରାଜ୍ୟରାଣୀ, ଇଣ୍ଟରସିଟି ସହ ସମଲେଶ୍ଵରୀ ଏକ୍ସପ୍ରେସ, ସାଉଥ ବିହାର ଏକ୍ସପ୍ରେସ, ଜ୍ଞାନେଶ୍ୱରୀ, ମୁମ୍ବାଇ ହାୱଡା ସିଏସଏମଟି ଏକ୍ସପ୍ରେସ ଏବଂ ଉତ୍କଳ ଏକ୍ସପ୍ରେସ ପରି ବହୁ ଟ୍ରେନ କଲୁଙ୍ଗା ଷ୍ଟେସନରେ ରହଣୀ କରୁଥିଲା । କିନ୍ତୁ କୋଭିଡ ସମୟରେ ଟ୍ରେନ ଚଳାଚଳ ବାତିଲ ହୋଇଥିଲେ ମଧ୍ୟ କଟକଣା ହଟିବା ପରେ ମଧ୍ୟ କଲୁଙ୍ଗା ଷ୍ଟେସନରେ ଟ୍ରେନ ରହଣି କରୁନାହିଁ ।

କଳୁଙ୍ଗା ଅଞ୍ଚଳ ଏକ ଶିଳ୍ପାଞ୍ଚଳ ହୋଇଥିବାରୁ ଏଠାରେ ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରୁ ବହୁ ଲୋକେ ଆସି ବସବାସ କରିବା ସହ କାମ କରିଥାନ୍ତି । ଏହି ଅଞ୍ଚଳକୁ ଟ୍ରେନରେ ଆସୁଥିବା ଲୋକେ କଲୁଙ୍ଗା ଷ୍ଟେସନରେ ଓହ୍ଳାଇଥାନ୍ତି । କିନ୍ତୁ ବର୍ତ୍ତମାନ କୌଣସି ଟ୍ରେନ ଏଠାରେ ରହଣୀ କରୁନଥିବାରୁ ବାହାରୁ ଆସି କାମ କରୁଥିବା ଶ୍ରମିକ ମାନେ ଯାତ୍ରା କରିବା ପାଇଁ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୋରୋନା କଟକଣା ହଟିବା ପରେ ଏଠାରେ ଟ୍ରେନ ରହଣୀ ନେଇ ବାରମ୍ବାର ଦାବି କରାଯାଇଥିଲା । କିନ୍ତୁ ରେଳବାଇ ପ୍ରଶାସନ ନ ଶୁଣିବାରୁ ଆଜି କଲୁଙ୍ଗା ବିକାଶ ପରିଷଦ ରେଳ ରୋକ କରିଛି ଏବଂ ଏହାସହ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଥିବା ସୂଚନା ମିଳିଛି।

ପୂର୍ବ ପରି ସମସ୍ତ ଟ୍ରେନ ଏଠାରେ ରହଣୀ କରାଯାଉ ବୋଲି ଦାବି କରିଛି କଲୁଙ୍ଗା ବିକାଶ ପରିଷଦ । ଯଦି ରେଳବାଇ ପ୍ରଶାସନ ଏହି ଦାବିକୁ ନମାନନ୍ତି ତେବେ ଆଗାମୀ ଦିନରେ ବିଶାଳ ରେଳ ରୋକ କରାଯିବ ବୋଲି ଚେତାଇଦେଇଛନ୍ତି ବିକ୍ଷୋଭକାରୀ । ତେବେ ଯେ ପର୍ଯ୍ୟନ୍ତ ରେଳବାଇ ପ୍ରଶାସନ ଏଠାରେ ପୂର୍ବ ଭଳି ଟ୍ରେନ ରହଣୀ ଦାବି ନ ମାନିଛନ୍ତି ସେ ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ରେଳ ରୋକ କରାଯିବ ଏବଂ ଆଗାମୀ ଦିନରେ ସମ୍ପୂର୍ଣ୍ଣ ଭାବରେ ସମସ୍ତ ଟ୍ରେନ ଚଳାଚଳ ବନ୍ଦ କରାଯିବ ବୋଲି ସୂଚନା ଦେଇଛି କଲୁଙ୍ଗା ବିକାଶ ପରିଷଦ ।

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

...view details