ସୁନ୍ଦରଗଡ: ବିକ୍ଷୋଭକାରୀଙ୍କୁ ଲାଠି ଚାର୍ଜ କଲା ପୋଲିସ । ସୁନ୍ଦରଗଡ ଜିଲ୍ଲା ହେମଗିର ବ୍ଲକ କନ୍ଦଧୁଡା ମାମଲାରେ ଲାଠିଚାର୍ଜ କରିଛି ପୋଲିସ । ବିକ୍ଷୋଭକାରୀଙ୍କ ମଧ୍ୟରୁ 24ଜଣଙ୍କୁ ଗିରଫ କରିଛି ପୋଲିସ । କେତେକ ବିକ୍ଷୋଭକାରୀ ସମେତ ଛାତ୍ରଛାତ୍ରୀ ଓ ଅଙ୍ଗନୱାଡି କର୍ମୀଙ୍କୁ ପୋଲିସ ଥାନାକୁ ଆଣିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା ।
ଗତକାଲି ସୁନ୍ଦରଗଡ ଜିଲ୍ଲା କନ୍ଦଧୁଡାରୁ କେତେକ ବିକ୍ଷୋଭକାରୀ ସମେତ ଛାତ୍ରଛାତ୍ରୀ ଓ ଅଙ୍ଗନୱାଡିଙ୍କୁ ପୋଲିସ ଥାନାକୁ ଆଣିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ସୂଚନା ଥାଉକୁ ଜନଶକ୍ତି ମଞ୍ଚ ନାମରେ କେତେକ ବ୍ୟକ୍ତି ସୁନ୍ଦରଗଡ ଏମସିଏଲରୁ କୋଇଲା ନେଇ ବାଙ୍କିବାହାଲ-ଟପରିଆ ରାସ୍ତା ଦେଇ ଛତିଶଗଡ ରାଜ୍ୟକୁ ପରିବହନ କରୁଥିବା ଗାଡି ଗୁଡିକୁ ଅଟକାଇବା ସହ ଗାଡି ଚଳାଚଳକୁ ସଂପୂର୍ଣ୍ଣ ବନ୍ଦ କରିଥିଲେ । ସେମାନେ ଗତକାଲି ମଧ୍ୟ ବାଙ୍କିବାହାଲ – ଟପରିଆର ରାସ୍ତାର କନ୍ଦଧୁଡା ନିକଟରେ ସ୍କୁଲ ପିଲାଙ୍କୁ ନେଇ ରାସ୍ତା ଅବରୋଧ କରିଥିଲେ । ରାସ୍ତା ଅବରୋଧକାରୀଙ୍କୁ ପୋଲିସ ଗିରଫ କରିବା ସହ କେତେକ ସ୍କୁଲ ଓ ଅଙ୍ଗନୱାଡି ଛାତ୍ରଛାତ୍ରୀଙ୍କୁ ମଧ୍ୟ ଥାନାକୁ ନେଇଥିଲା । ଏହାକୁ ନେଇ ଉକ୍ତ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା । କେତେକ ଗ୍ରାମବାସୀ ଗତକାଲି ରାତିରେ ଥାନା ସମ୍ମୁଖରେ ଗଣ୍ଡଗୋଳ କରିଥିଲେ । ତେବେ ଆଜି ସେମାନଙ୍କ ସହ ଉକ୍ତ ଅଞ୍ଚଳର ଶତାଧିକ ଲୋକ ଥାନା ସମ୍ମୁଖରେ ବିକ୍ଷୋଭ କରିଥିଲେ । ଏପରିକି ଥାନା ମଧ୍ୟରୁ ପୋଲିସ ବାହାରକୁ ବାହାରି ପାରୁ ନ ଥିଲେ କିମ୍ବା ଥାନା ମଧ୍ୟକୁ ପୋଲିସ ପ୍ରବେଶ ମଧ୍ୟ କରିପାରୁ ନ ଥିଲେ ।