ରାଉରକେଲା: ସ୍କୁଲ୍ କର୍ତ୍ତୃପକ୍ଷଙ୍କ ମନାମାନି । ସ୍କୁଲ୍ ପିଲାଙ୍କୁ ଗେଟ୍ ବାହାରକୁ ତଡ଼ିଦେଲେ ସ୍କୁଲ୍ କର୍ତ୍ତୃପକ୍ଷ । ସ୍କୁଲର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ଚିନ୍ତା ନକରି ସ୍କୁଲରୁ ବାହାର କରିଦେଲେ ସ୍କୁଲ କର୍ତ୍ତୃପକ୍ଷ । ମାସିକ ଫି ଏବଂ ରି-ଆଡ଼ମିଶନ ଫିକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଅଭିଯୋଗ ହୋଇଛି । ତେବେ ଏଭଳି ଏକ ଘଟଣା ଘଟିଛି ରାଉରକେଲା ସହରର ସେକ୍ଟର ୫ ଶ୍ରୀ ଅରବିନ୍ଦ ସ୍କୁଲରେ ।
ସୂଚନା ଅନୁସାରେ ଗତ ମଙ୍ଗଳବାରଠାରୁ ଅରବିନ୍ଦ ସ୍କୁଲରେ ପିଲାଙ୍କ ଅର୍ଦ୍ଧ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି । ସ୍କୁଲ୍ର ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ଫି' ନଦେବା ନେଇ ସ୍କୁଲରୁ ବାହାର କରିଦେଇଛନ୍ତି ସ୍କୁଲ୍ କର୍ତ୍ତୃପକ୍ଷ । ପ୍ରାୟ ୧୫ ଜଣ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ରୁ ବାହାର କରି ଦିଆଯାଇଛି । ଏନେଇ ଛାତ୍ରଛାତ୍ରୀଙ୍କ ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁସାରେ, ଯେତେବେଳେ ରାଉରକେଲା ପାୱାର ହାଉସ ରୋଡ୍ରେ ଥିବା ପ୍ରଥମରୁ ପଞ୍ଚମ ଶ୍ରେଣୀ ଥିବା ଅରବିନ୍ଦ ସ୍କୁଲରେ ପିଲାମାନେ ପାଠ ପଢୁଥିଲେ ସେତେବେଳେ ନୂତନ କରି ରାଉରକେଲା ସେକ୍ଟର 5ରେ ପୂର୍ଣ୍ଣାଙ୍ଗ ଭବରେ ସ୍କୁଲ ଖୋଲିଥିଲା । ସେଠାରେ ପିଲାଙ୍କୁ ପଢ଼ାଇବାକୁ କହିଥିଲେ ଏବଂ ପୂର୍ବ ଭଳି ପିଲାଙ୍କ କେବଳ ସ୍କୁଲ ଫି' ଦେବାକୁ ପଡିବ ଏବଂ ରି-ଆଡ଼ମିଶନ ଭଳି ଫି ନୂତନ ସ୍କୁଲରେ ଦେବାକୁ ପଡିବ ନାହିଁ ବୋଲି ସ୍କୁଲ ପ୍ରିନ୍ସିପାଲ କହିଥିଲେ ।
ସେପଟେ ପିଲା ଏହି ସ୍କୁଲ୍ରେ ଦୁଇ-ତିନି ବର୍ଷ ପାଠ ପଢିବା ପରେ ପୁଣି ସ୍କୁଲ କର୍ତ୍ତୃପକ୍ଷ ମାସିକ ଫି ଏବଂ ରି-ଆଡ଼ମିଶନ ଫି ଦାବି କରୁଛନ୍ତି । ଆଜି ସ୍କୁଲ କର୍ତ୍ତୃପକ୍ଷ ଏହାର ଚରମ ସୀମା ଲଙ୍ଘିଗଲେ ଏବଂ ପିଲାଙ୍କୁ ସ୍କୁଲରେ ଚାଲିଥିବା ଅର୍ଦ୍ଧ ବାର୍ଷିକ ପରୀକ୍ଷା ଦେବାକୁ ମନା କରିବା ସହ ସ୍କୁଲ ଫି ଏବଂ ରି-ଆଡ଼ମିଶନ ଫି ଜମା ନଦେବା ପର୍ଯ୍ୟନ୍ତ ପରୀକ୍ଷା ନଦେବାକୁ କହି ଛାତ୍ରଛାତ୍ରୀଙ୍କୁ ସ୍କୁଲରୁ ତଡି ଦେଇଥିଲେ । ଅଭିଭାବକମାନେ ପ୍ରଥମେ ଅଳ୍ପ କିଛି ଟଙ୍କା ଦେବାକୁ ରାଜି ଅଛନ୍ତି କିନ୍ତୁ ସ୍କୁଲ୍ କର୍ତ୍ତୃପକ୍ଷ ଏହାର ସମ୍ପୂର୍ଣ୍ଣ ବିରୋଧ କରୁଛନ୍ତି । ପିଲାଙ୍କୁ ପରୀକ୍ଷା ଦେବାରୁ ଏବଂ ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳିଥିବାର ଅଭିଯୋଗ କରିଛନ୍ତି ପରିବାର ଲୋକେ ।