ରାଉରକେଲା: ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅକ୍ଷମତା । ଭିନ୍ନକ୍ଷମ ହୋଇ ମଧ୍ୟ ସମାଜରେ ସକ୍ଷମ ହେବାର ଲକ୍ଷ୍ୟ ରଖିଛନ୍ତି ରାଉରକେଲା ସହରର ସରିତା ନାୟକ । ଜନ୍ମରୁ ତାଙ୍କର ଦୁଇଟି ଗୋଡ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି । ହେଲେ କେବେ ହାରିଯାଇ ନାହାନ୍ତି । ଗୋଡ ନହେଲା ନାହିଁ ଦୁଇ ହାତରେ ସେ ଜୀବନର ରଥ ଟାଣି ନେଉଛନ୍ତି । ନିଜ ହାତରେ ସୁନ୍ଦର ସୁନ୍ଦର ରାକ୍ଷୀ ପ୍ରସ୍ତୁତ କରି ସ୍ବାବଲମ୍ବୀ ହୋଇଛନ୍ତି ସରିତା ।
ସରିତା ନାୟକ ପିଲାଟି ବେଳୁ ଭିନ୍ନକ୍ଷମ । ତାଙ୍କର ସ୍ପାଇନାଲ କର୍ଡରେ ସମସ୍ୟା ଯୋଗୁଁ ଗୋଡ ଦୁଇଟା ପୁରା ଅକାମୀ ହୋଇଯାଇଛି । ସେ ଦୁଇ ଗୋଡରେ ଛିଡା ହୋଇପାରୁ ନାହାନ୍ତି । ତଥାପି ପରିବାର ପାଇଁ କେବେ ବୋଝ ପାଲଟି ନାହାନ୍ତି । ନିଜ ଗୋଡ଼ରେ ଛିଡା ହୋଇ ସ୍ୱାବଲମ୍ବୀ ହେବା ପାଇଁ ଚେଷ୍ଟା କରି ଆସୁଛନ୍ତି ସରିତା । ତାଙ୍କ ରାକ୍ଷୀ ତିଆରି କରିବା ପ୍ରତିଭା ଯୋଗୁଁ ଆଖ ପାଖ ପଡୋଶୀ ମଧ୍ୟ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇପଡନ୍ତି । ଏଥିସହ ତାଙ୍କ କାରିଗରୀ ସୁନ୍ଦର ହୋଇଥିବା ଯୋଗୁଁ ଲୋକଙ୍କ ମଧ୍ୟରେ ଏହାକୁ କିଣିବାକୁ ଇଚ୍ଛା ବଢିବାରେ ଲାଗିଛି ।
ତାଙ୍କ କାରିଗରୀ କେବଳ ଯେ ରାକ୍ଷୀରେ ସୀମିତ ତାହା ନୁହେଁ ବରଂ ଚିତ୍ରକଳା ଆଙ୍କିବା ସହ କୁମ୍ପି, ଆକର୍ଷଣୀୟ ଦୀପ, କ୍ୟାଣ୍ଡେଲ ସମେତ ବିଭିନ୍ନ ଅଦରକାରୀ ଜିନିଷରୁ ନାନା ଘରକରଣା ସାମଗ୍ରୀ ପ୍ରସ୍ତୁତି କରନ୍ତି । ସେହିପରି କାର୍ତ୍ତିକ ପୂର୍ଣ୍ଣିମାରେ ରଙ୍ଗବେରଙ୍ଗୀ ଡଙ୍ଗା, ଦୀପାବଳିରେ ଭଳିକି ଭଳି ଆକର୍ଷଣୀୟ ଦୀପ, କ୍ୟାଣ୍ଡେଲ ଆଦି ପ୍ରସ୍ତୁତ କରି ବିକ୍ରିବଟା କରନ୍ତି । ଲୋକମାନେ ମଧ୍ୟ ଖୁବ୍ ଆଗ୍ରହ ସହକାରେ ଏହିସବୁ ହାତ ତିଆରି ସାମଗ୍ରୀ କିଣିଥାନ୍ତି । ଏଥିରୁ ସରିତା ଭଲ ଦୁଇ ପଇସା ରୋଜଗାର କରୁଛନ୍ତି । ଏହିସବୁ ସାମଗ୍ରୀ ପ୍ରସ୍ତୁତ ପାଇଁ ସରିତା କେବେ କୌଣସି ତାଲିମ ନେଇନାହାନ୍ତି ।