ରାଉରକେଲା: ରାଉରକେଲା ଆରଟିଓରେ ଚାଲିଛି ଦଲାଲରାଜ୍ । ବିନା ଡ୍ରାଇଭିଂ ଟେଷ୍ଟରୁ ମିଳୁଛି ଡ୍ରାଇଭିଂ ଲାଇସେନ୍ସ । ପଲ୍ୟୁସନ ଟେଷ୍ଟିଂ ଭ୍ୟାନରେ ଲାଇସେନ୍ସ କାରବାର ହେଉଛି । ଉଭୟ ଦୁଇ ଚକିଆ ଓ ଚାରି ଚକିଆ ଯାନ ପାଇଁ ୮ରୁ ୯ ହଜାର ଟଙ୍କା ଦେଲେ ଲାଇସେନ୍ସ ମିଳିଯାଉଛି । ସରକାରଙ୍କ କଡା ନିୟମ ପରେ ମଧ୍ୟ ଗଳା ବାଟ କାଢି ଏଭଳି କାରନାମା କରୁଛନ୍ତି ଦଲାଲ । ଯାହାର ଏକ ଏକ୍ସକ୍ଲୁସିଭି ଚିତ୍ର ଆମ ହାତରେ ଲାଗିଛି । ଉକ୍ତ ଭିଡିଓଟି ରାଉରକେଲା ସହରର ଏକ ପଲ୍ୟୁସନ ଭ୍ୟାନର ଅଟେ । କେମିତି ପଲ୍ୟୁସନ ଭ୍ୟାନରେ ଲାଇସେନ୍ସ କାରବାର କରାଯାଉଛି ତାହାର ଏଥିରୁ ସ୍ପଷ୍ଟ ଜଣାପଡୁଛି । ଭିଡିଓରେ ଦେଖାଯାଇଛି ବିନା ଗାଡି ଚାଳନାରେ ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ଭ୍ୟାନରେ ଥିବା ବ୍ୟକ୍ତି ଜଣକ ତାଙ୍କ ସହ ସମ୍ପର୍କ କରିବା ପାଇଁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ କହୁଛନ୍ତି । ଏହାପରେ ମୂଲଚାଲ ହେଉଛି ।
ଭ୍ୟାନରେ ଥିବା ବ୍ୟକ୍ତି ଡ୍ରାଇଭିଂ ଲାଇସେନ୍ସ ପାଇଁ ୮ରୁ ୯ ହଜାର ଟଙ୍କା ମାଗୁଛନ୍ତି । ତାଙ୍କର କହିବାନୁସାରେ, ଟଙ୍କା ଓ ନିଜର ଡକ୍ୟୁମେଣ୍ଟ ଦେଲେ ଲାଇସେନ୍ସ ମିଳିଯିବ । ଲାଇସେନ୍ସ ଚାହୁଁଥିବା ବ୍ୟକ୍ତିଙ୍କୁ କେବଳ ଆରଟିଓ ଯାଇ ଦସ୍ତଖତ ଏବଂ ଫଟୋ ଉଠାଇବାକୁ ପଡିବ । ଅନ୍ୟ ବାକି ସବୁ କାମ ସେମାନେ କରିଦେବେ । ତେବେ ମିଳିବାକୁ ଥିବା ଲାଇସେନ୍ସ ଦୁଇରୁ ପାଞ୍ଚ ମାସ ପୂର୍ବ ତାରିଖରେ ଇସ୍ୟୁ ହେବ ବୋଲି ସେହି ବ୍ୟକ୍ତି ଜଣକ କହୁଥିବା ଶୁଣିବାକୁ ମିଳୁଛି । ଏହାସହିତ କୌଣସି ଅସୁବିଧା ହେବ ନାହିଁ ବୋଲି ସମ୍ପୃକ୍ତ ବ୍ୟକ୍ତି ଅନ୍ୟ ଲୋକଟିକୁ ଆଶ୍ବସନା ଦେଉଥିବା ମଧ୍ୟ ଶୁଣାଯାଉଛି ।