ରାଉରକେଲା:ଲୋକଙ୍କ ପାଇଁ ଅଭିଶାପ ପାଲଟିଛି ଅର୍ଧନିର୍ମିତ ପୋଲ । ଫଳରେ ବିପଜ୍ଜନକ ଭାବେ ନଦୀ ପାର ହେଉଛନ୍ତି ଲୋକେ । ବର୍ତ୍ତମାନ ବର୍ଷା ସମୟରେ ନଦୀ ଫୁଲୁଥିବାବେଳେ ଲୋକେ ନିଜ ଜୀବନକୁ ବାଜି ଲଗାଇ ବିପଦଶଙ୍କୁଳ ଅବସ୍ଥାରେ ନଦୀ ପାର୍ ହେଉଥିବା ଦେଖିବାକୁ ମିଳିଛି । ଏକ ବାଉଁଶ ବାଡ଼ିକୁ ସିଢି ଭାବରେ ବ୍ୟବହାର କରି ବ୍ରିଜ ଉପରକୁ ଚଢୁଛନ୍ତି ଲୋକେ । ସ୍ମାର୍ଟସିଟି ବା ବିଶ୍ୱକପ ସହର ବୋଲାଉଥିବା ରାଉରକେଲା ସହରର ଉପକଣ୍ଠରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।
ରାଉରକେଲା ସହର ଉପକଣ୍ଠ ଝିରପାଣି ଅଞ୍ଚଳର ବ୍ରିଜ୍ ନିର୍ମାଣ ହୋଇଥିଲେ ସୁଦ୍ଧା ଅଧଃପନ୍ତରିଆ ଅବସ୍ଥାରେ ଥିବାରୁ ଏଭଳି ସ୍ଥିତି ଉପୁଜୁଛି । ଯେତେବେଳେ ବ୍ରିଜ ନିର୍ମାଣ ଆରମ୍ଭ ହୋଇଥିଲା ଲୋକେ ଭାବିଥିଲେ ଯେ ବର୍ତ୍ତମାନ ବହୁ ସୁବିଧା ସୁଯୋଗ ହେବ । ରାଉରକେଲା ସହର ସହ ସିଧାସଳଖ ସମ୍ପର୍କ ଯୋଡ଼ି ହେବ, କିନ୍ତୁ ଏହା ଆଜି ଯାଏଁ ତାହା ହୋଇପାରିଲା ନାହିଁ । ଦେଓ ନଦୀ ଉପରେ ବ୍ରିଜ ନିର୍ମାଣକୁ 6 ବର୍ଷ ବିତି ଯାଇଥିଲେ ସୁଦ୍ଧା ତାହା ଅଧପନ୍ତରିଆ ହୋଇ ରହିଛି । ପିଲର୍ ଉପରେ ସ୍ଲାବ୍ ବା କଂକ୍ରିଟ ଏଯାଏଁ ନିର୍ମାଣ ହୋଇପାରିନଥିବାରୁ ବାଧ୍ୟ ହୋଇ ଲୋକେ ବାଉଁଶ ସାହାଯ୍ୟରେ ୨୦ ଫୁଟ୍ ଉପରେ ଥିବା ବ୍ରିଜ୍କୁ ଚଢ଼ି ନଦୀ ପାର୍ ହେଉଛନ୍ତି । ଏହାସହ ଛୁଆଙ୍କୁ କାନ୍ଧରେ ଧରି ବିପଜ୍ଜନକ ଭାବରେ ମହିଳାମାନେ ନଦୀ ପାର ହେଉଛନ୍ତି।
ଲହଣ୍ଡା-ମିଟ୍କୁନ୍ଦୁରୀ ସେତୁ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ 2017-2018 ମସିହାରେ ୭ କୋଟି ୬୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଟେଣ୍ଡର୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ହେଲେ ୭୩ ଡିସିମିଲ୍ ଜମି ଅଧିଗ୍ରହଣ ହୋଇପାରୁନଥିବାରୁ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇପାରୁନାହିଁ । ଗୋଟିଏ ସ୍ଲାବ୍ ଓ ଆପ୍ରୋଚ୍ ରୋଡ୍ ନିର୍ମାଣ ପାଇଁ ମିଟ୍କୁନ୍ଦୁରୀଠାରେ 27 ଡିସିମିଲ ଓ ଖୁଣ୍ଟଗାଁଠାରେ ୪୬ ଡିସିମିଲ ଜମି ଆବଶ୍ୟକ ଥିବା ସୂଚନା ରହିଛି । କ୍ଷତିପୂରଣ ଦାବିରେ ଜମି ଅଧିଗ୍ରହଣକୁ ବିରୋଧ କରାଯାଉଥିବାବେଳେ ସମସ୍ୟାର ସମାଧାନ ହୋଇପାରୁନାହିଁ । ବିଗତ ଦିନରେ ଉପଜିଲ୍ଲାପାଳଙ୍କ ସମେତ ବରିଷ୍ଠ ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଜମିଅଧିଗ୍ରହଣ ପ୍ରକ୍ରିୟା ପାଇଁ ପ୍ରତିଶୃତି ଦେଇଥିଲେ ବି ତାହା କେବଳ ପ୍ରତିଶୃତିରେ ରହିଯାଇଛି ।