ରାଉରକେଲା: ନିଜ ପାଳି ଓ ସ୍ଲଟ୍ ଅନୁଯାୟୀ ଟିକାଦାନ କେନ୍ଦ୍ରକୁ ଆସି ଟିକା ନେବାକୁ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ପରାମର୍ଶ । ରାଉରକେଲା ସହରରେ ମଙ୍ଗଳବାରଠାରୁ ନୂଆ ସୂଚୀ ଅନୁଯାୟୀ ଟୀକାଦାନ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ନିଜ ନିଜର ପାଳି ଅନୁଯାୟୀ ଏବଂ ପୂର୍ଣ୍ଣ କୋଭିଡ୍ ପ୍ରୋଟୋକଲ୍ ପାଳନ କରି ଟିକା ନେବାକୁ ୧୮ ରୁ ୪୪ ଏବଂ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ ବର୍ଗର ଲୋକଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଅନୁରୋଧ କରିଛନ୍ତି ।
ସେ କହିଛନ୍ତି ଯେ, ୧୮ରୁ ୪୪ ବର୍ଷ ବର୍ଗରେ ଲୋକମାନଙ୍କୁ ମାଗଣାରେ କୋଭିଡ୍ ଟିକା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ବର୍ତ୍ତମାନ ରାଉରକେଲା ମହାନଗର ନିଗମ ପାଇଁ ଯେତିକି ଟିକା ଆସିଛି ସେହି ଅନୁଯାୟୀ ଟିକାକରଣ ସୂଚୀ ପ୍ରସ୍ତୁତ କରାଯାଇଛି । ଆଗାମୀ ୧୦ରୁ ୧୨ ଦିନ ପର୍ଯ୍ୟନ୍ତ ଏହା ଚାଲିବ । ପୁଣି ପର୍ଯ୍ୟାୟକ୍ରମେ ଯେତିକି ପରିମାଣର ଟିକା ଆସି ପହଞ୍ଚିବ ସେହି ଅନୁଯାୟୀ କାର୍ଯ୍ୟକ୍ରମ ଜାରି ରହିବ ।
୧୮ ରୁ ୪୪ ବର୍ଷ ବର୍ଗରେ ଅନଲାଇନ ପଞ୍ଜୀକରଣ କରି ସ୍ଲଟ୍ ପାଇଥିବା ବ୍ୟକ୍ତିଙ୍କୁ ହିଁ ଟିକା ଦିଆଯିବ । ତେଣୁ ନିଜର ସ୍ଲଟ୍ ଅନୁଯାୟୀ ନିର୍ଦ୍ଧାରିତ ଦିନ ଓ ସମୟରେ ନିର୍ଦ୍ଦିଷ୍ଟ କେନ୍ଦ୍ରରେ ପହଞ୍ଚିବାକୁ ସେ ପରାମର୍ଶ ଦେଇଛନ୍ତି । ତେବେ ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଟିକାଦାନ କେନ୍ଦ୍ରକୁ ଆସି ସେଠାରେ ପଞ୍ଜୀକରଣ କରିପାରିବେ । ଏହି ବର୍ଗରେ ବର୍ତ୍ତମାନ କେବଳ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ ।