ରାଉରକେଲା:ପିସିସି ସଭାପତି ଶରତ ପଟ୍ଟନାୟକ ଗତ ଗୁରୁବାର ରାଉରକେଲା ଗସ୍ତ କରିଛନ୍ତି । ଏହି ସମୟରେ ସେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ବିଜେଡି ସରକାର ଓଡ଼ିଶା ଅବନ୍ନତିର ମୂଳ କାରଣ । ରାଜ୍ୟରେ ଜଙ୍ଗଲ ରାଜ ଚାଲିଛି । ଅଫିସରଙ୍କୁ ପ୍ରାଥମିକତା ଦିଆଯାଉଛି । ସରକାର କେବଳ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି । ଜନସାଧାରଣଙ୍କ ବିକାଶ ପାଇଁ କୌଣସି କାର୍ଯ୍ୟ କରାଯାଉନି । ବିଜେଡି ସରକାର ୨ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇ ଭୁଲି ଯାଇଛି । ସେହିଭଳି କେନ୍ଦ୍ର ସରକାର ମଧ୍ୟ ଦୁଇ କୋଟି ଯୁବକ ଯୁବତୀଙ୍କୁ ଚାକିରି ଦେବାକୁ ସ୍ବପ୍ନ ଦେଖାଇ ଠକି ଦେଇଛନ୍ତି ବୋଲି ଶରତ ଅଭିଯୋଗ କରିଛନ୍ତି ।
ଆହୁରି ମଧ୍ୟ ରାଜ୍ୟ କଂଗ୍ରେସ ମୁଖ୍ୟ କହିଛନ୍ତି ଯେ, ଲୋକଙ୍କ ବିକାଶ କରିବାରେ କେନ୍ଦ୍ର ସମ୍ପୂର୍ଣ୍ଣ ରୂପେ ଫେଲ ମାରିଛି । ଘରକୁ ଘର ୧୫ ଲକ୍ଷ ଟଙ୍କା ଦେବା କଥା ଓ ସ୍ମାର୍ଟସିଟି ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇ ବିଫଳ ହୋଇଛି । ଆଜି ସାରା ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଦାରଦାମ୍ ହୁ' ହୁ' ହୋଇ ବୃଦ୍ଧି ପାଇଛି । ଏଥିରେ ଗରୀବ ଓ ସାଧାରଣ ଲୋକେ ହଇରାଣ ହେଉଛନ୍ତି । ବିଜେପି ଓ ବିଜେଡି ଦୁଇ ଭାଇ । କେନ୍ଦ୍ରରେ ବିଜେପି ସରକାର ଓ ରାଜ୍ୟରେ ବିଜେଡି ସରକାର ଏକାଠି ହୋଇ ଓଡ଼ିଶାବାସୀଙ୍କୁ ହଇରାଣ କରୁଛନ୍ତି । ରାଜ୍ୟ ସରକାରଙ୍କ ବେକାର ଯୁବଗୋଷ୍ଠୀଙ୍କୁ ଚାକିରି ଯୋଗାଇବା, ଚାଷୀଙ୍କ ଜମିକୁ ପାଣି ଯୋଗାଇବା ଏବଂ ଧାନ କ୍ବିଣ୍ଟାଲ ପିଛା ସଠିକ ମୂଲ୍ୟ ଦେବା ଘୋଷଣା ସବୁ କେବଳ ପାଣିର ଗାର ।
ଏହାମଧ୍ୟ ପଢନ୍ତୁ: ୨୪ ପାଇଁ କଂଗ୍ରେସର ପ୍ରସ୍ତୁତି; ଝାରସୁଗୁଡାରେ ଘର ଘର କଂଗ୍ରେସ ଅଭିଯାନ ଆରମ୍ଭ