ରାଉରକେଲା:ସୁନ୍ଦରଗଡ ଜିଲ୍ଲା ତଥା ରାଜଗାଙ୍ଗପୁର କାଂଶବାହାଳ ଅଞ୍ଚଳ ପାଇଁ ଗୌରବ । ଗର୍ବ ଗୌରବ ଆଣିଲେ କାଂଶବାହାଳର ଝିଅ ପ୍ରିୟଙ୍କା ସାହୁ । ମିସ ଇଣ୍ଡିଆ କୁଇନ ଅଫ ହାର୍ଟର(Miss India Queen of Hearts) ବିଜୟୀ ହୋଇ ଆଣିଛନ୍ତି ଗର୍ବ ଗୌରବ। ଦିଲ୍ଲୀରେ ଆୟୋଜିତ ମିସ ଇଣ୍ଡିଆ କୁଇନ ଅଫ ହାର୍ଟ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ବିଜୟୀ ହୋଇଛନ୍ତି ପ୍ରିୟଙ୍କା । ପେଶାରେ ସେ ଜଣେ ସଫ୍ଟୱେୟାର ଇଂଜିନିୟର କିନ୍ତୁ ନିଶା ମଡେଲିଂ । ରାଜଗାଙ୍ଗପୁର ଅଞ୍ଚଳର କାଂଶବାହାଳ ବିଲେଇଗଡ଼ର ବାସିନ୍ଦା ପ୍ରକାଶ ଚନ୍ଦ୍ର ସାହୁଙ୍କ ଝିଅ ପ୍ରିୟଙ୍କା ସାହୁ ।
ସେ ହାଇଦ୍ରାବାଦରେ ଏକ କମ୍ପାନୀରେ ସଫ୍ଟୱେର ଇଂଜିନିୟର ଭାବରେ କାର୍ଯ୍ୟ କରନ୍ତି । କିନ୍ତୁ ଛୋଟ ବେଳୁ ମଡେଲିଂ ପାଇଁ ତାଙ୍କର ଆଗ୍ରହ ଥିଲା । କିନ୍ତୁ ସୁଯୋଗ ମିଳୁ ନ ଥିବାରୁ ନିଜର ପ୍ରତିଭାକୁ ପ୍ରଦର୍ଶିତ କରି ପାରୁ ନଥିଲେ । ତେବେ ଗତ ଜାନୁଆରୀରେ ମିସ ଇଣ୍ଡିଆ କୁଇନ ଅଫ ହାର୍ଟ ପାଇଁ ସେ ଅଡିସନ ଦେଇଥିଲେ । ସେଠାରେ ସିଲେକ୍ଟ ହୋଇ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇଥିଲେ ।
ଅନ୍ୟପଟେ ସାରା ଦେଶର ବିଭିନ୍ନ ସ୍ଥାନରୁ ବିଭିନ୍ନ ଜାଗାରୁ ସୁନ୍ଦରୀ ମାନେ ଯୋଗ ଦେଇଥିଲେ । ତେବେ ଏହାରି ମଧ୍ୟରୁ କାଂଶବାହାଳର ପ୍ରିୟଙ୍କା ସାହୁ ମିସ ଇଣ୍ଡିଆ କୁଇନ ସୁନ୍ଦରୀ ପ୍ରତିଯୋଗିତାରେ ସେଣ୍ଟ୍ରାଲ ଯୋନ ବିଜୟୀ ହୋଇଥିଲେ । ପ୍ରିୟଙ୍କା ସାହୁଙ୍କ ପାଇଁ ବର୍ତ୍ତମାନ କାଂଶବାହାଳ ଅଞ୍ଚଳ ଏବଂ ସୁନ୍ଦରଗଡ ଜିଲ୍ଲା ଗର୍ବିତ । ଏନେଇ ପ୍ରିୟଙ୍କା ସାହୁ କହିଛନ୍ତି ଯେ, ଘର ଲୋକ ମଧ୍ୟ ଏହି ମଡେଲିଂ ପାଇଁ ପ୍ରିୟଙ୍କାଙ୍କୁ ସହଯୋଗ କରିଥିଲେ ।
ତେବେ ସେ ଲୋକଙ୍କୁ ନିବେଦନ କରିଛନ୍ତି ଯେ ସମସ୍ତେ ନିଜ ଝିଅକୁ ଯଦି ଝିଅର ଇଚ୍ଛା ଅଛି ମଡେଲିଂ ପାଇଁ ତେବେ ସେମାନଙ୍କୁ ସହଯୋଗ କରନ୍ତୁ ଏବଂ ମଡେଲିଂକୁ କିଛି ଖରାପ ଭାବନ୍ତୁ ନାହିଁ । କାରଣ ମଡେଲିଂରେ ମଧ୍ୟ ସମସ୍ତେ ନିଜର କ୍ୟାରିୟର କରି ପାରିବେ । ତେଣୁ କରି ନିଜ ଝିଅଙ୍କୁ ବାପା ମାଆ ମାନେ ସହଯୋଗ କରିବା ଜରୁରୀ ବୋଲି କହିଛନ୍ତି । ପ୍ରିୟଙ୍କା ସାହୁ ବର୍ତ୍ତମାନ ଆଗକୁ ଆହୁରି ପ୍ରତିଯୋଗିତାରେ ଭାଗ ନେଇ ସମ୍ପୂର୍ଣ୍ଣ ସୁନ୍ଦରଗଡ ଜିଲ୍ଲା ସମେତ ଓଡିଶା ପାଇଁ ମଧ୍ୟ ଗର୍ବ ଗୌରବ ସାଜିବେ ବୋଲି କହିଛନ୍ତି । ତାଙ୍କୁ ନେଇ କାଂଶବାହାଳ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।
ଇଟିଭି ଭାରତ, ରାଉରକେଲା