ରାଉରକେଲା:ଶିକ୍ଷାର ମାନ ବୃଦ୍ଧି ପାଇଁ ସରକାର ସ୍ମାର୍ଟ ସ୍କୁଲ ଯୋଜନା ଆରମ୍ଭ କରିଛନ୍ତି । ୫-ଟି ଯୋଜନା ଜରିଆରେ ବିଦ୍ୟାଳୟର ରୂପରେଖ ବଦଳାଇବା ପାଇଁ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଛି ସ୍ମାର୍ଟ କ୍ଲାସରୁମ । ହେଲେ ଆଜି ବି ଏପରି ଅନେକ ସ୍କୁଲ ଅଛି ଯେଉଁଠାରେ ପାଠ ପଢିବା ପାଇଁ ବ୍ଲାକବୋର୍ଡଟିଏ ନାହିଁ । ସ୍କୁଲ କାନ୍ଥରେ କୁନି କୁନି ପିଲାଙ୍କୁ ପାଠ ପଢାଉଛନ୍ତି ଶିକ୍ଷକ । ବ୍ଲାକବୋର୍ଡ ନଥିବାରୁ ଧଳା କାନ୍ଥରେ ରଙ୍ଗୀନ ଚକ୍ରେ ପାଠପଢା ହେଉଛି । ଶିକ୍ଷା ବ୍ୟବସ୍ଥାର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଆଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲାରେ ।
ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ଅନ୍ତର୍ଗତ ଗୋପନା ପଞ୍ଚାୟତର ସାନପୁରୁଣାପାଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କୁ କାନ୍ଥରେ ଲେଖି ପାଠ ପଢାଉଥିବା ଦେଖାଯାଇଛି । ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଯାଏଁ ଶ୍ରେଣୀ ରହିଛି । ମାତ୍ର ଏଠାରେ ପାଠ ପଢୁଛନ୍ତି ମାତ୍ର ୪୭ ଜଣ ଛାତ୍ରଛାତ୍ରୀ । ସ୍କୁଲରେ କେବଳ ୩ ଜଣ ଶିକ୍ଷକ ରହିଛନ୍ତି । ସବୁଠୁ ବିଡମ୍ବନାର ବିଷୟ ହେଉଛି ପିଲାଙ୍କୁ ଶିକ୍ଷାଦାନ ପାଇଁ କୌଣସି ପ୍ରକାର ଶୈକ୍ଷିକ ଉପକରଣ ସମେତ ବିଦ୍ୟାଳୟରେ ବ୍ଲାକବୋର୍ଡ଼ ଖଣ୍ଡେ ମଧ୍ୟ ନାହିଁ।
ଏହାମଧ୍ୟ ପଢନ୍ତୁ: ତେଜୁଛି ଆବାସ ଦୁର୍ନୀତି ବିବାଦ, ରାଜକନିକା ବ୍ଲକ ଘେରାଉ କଲା ବିଜେପି