ରାଉରକେଲା: ଆଜି ହେଉଛି ଜାତୀୟ କ୍ରୀଡା ଦିବସ । ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ସ୍ମୃତିରେ ତାଙ୍କ ଜନ୍ମତିଥିକୁ 'ଜାତୀୟ କ୍ରୀଡା ଦିବସ' ଭାବେ ପାଳନ କରୁଛି ଦେଶ । ମଣିଷ ଜୀବନରେ ଖେଳର ଗୁରୁତ୍ବ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ଦିବସ ପଳନ କରାଯାଏ । ଏହି ଅବସରରେ ଏନ୍ଆଇଟି ରାଉରକେଲା ପକ୍ଷରୁ କ୍ରୀଡା ଉତ୍ସବ ଆୟୋଜନ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ‘ଫିଟ ଇଣ୍ଡିଆ’କୁ ଆଖି ଆଗରେ ରଖି ଏହି କ୍ରୀଡା ଦିବସ ପାଳନ କରାଯାଉଛି ।
ତେବେ ‘ସୁସ୍ଥ ସମାଜ ଗଠନ ପାଇଁ କ୍ରୀଡ଼ା ଅପରିହାର୍ଯ୍ୟ’ ଚଳିତ ବର୍ଷ କ୍ରୀଡ଼ା ଦିବସର ମୂଳମନ୍ତ୍ର । ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ତଥା ଶାରୀରିକ କାର୍ଯ୍ୟକଳାପ ଏବଂ ସୁସ୍ଥ ଶରୀରର ମହତ୍ବକୁ ପ୍ରୋତ୍ସାହିତ କରିବା ପାଇଁ ଏନ୍ଆଇଟି ରାଉରକେଲା ପକ୍ଷରୁ କ୍ରୀଡ଼ା ଉତ୍ସବ ଆୟୋଜନ ହୋଇଛି । ଏହି ପରିପ୍ରେକ୍ଷୀରେ ଦୌଡ଼, ବାସ୍କେଟବଲ୍, ଫୁଟବଲ୍, ଟଗ୍ ଅଫ୍ ୱାର୍ ଏବଂ ସନ୍ତରଣ ପ୍ରଭୃତି କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା । ସମସ୍ତେ ନିଜକୁ ଜଣେ ପ୍ରକୃତ କ୍ରୀଡ଼ାବିତ୍ ଭାବେ ଗଢି ତୋଳିବା ଏବଂ ଜଣେ କ୍ରୀଡ଼ାବିତ ମନୋଭାବ ନେଇ ସୁସ୍ଥ ଜୀବନ ଯାପନ କରିବା ଦିଗରେ ଗୁରୁତ୍ବ ଦେବାକୁ ମଧ୍ୟ ଏହି କ୍ରୀଡା ଦିବସରେ ସୂଚନା ଦିଆଯାଇଛି । NIT ରାଉରକେଲା ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ଵର ରାଓ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ଅଂଶଗ୍ରହଣକାରୀ ମାନଙ୍କୁ ସମ୍ବୋଧିତ କରି କ୍ରୀଡାରେ ଯେଭଳି ପ୍ରୟାସ ଚାଲିଥାଏ ସେଭଳି ନିଜର ବ୍ୟକ୍ତିଗତ ଜୀବନ ଏବଂ ଶିକ୍ଷା ଜୀବନରେ ମଧ୍ୟ ସର୍ବଦା ପ୍ରୟାସ କରିବାକୁ ଆହ୍ବାନ ଦେଇଥିଲେ ଉମାମହେଶ୍ଵର ରାଓ ।