ନିର୍ବସ୍ତ୍ର ମହିଳା ଉଦ୍ଧାର ଘଟଣା, ସୁନ୍ଦରଗଡ଼ରେ ପହଞ୍ଚିଲେ ମହିଳାଙ୍କ ଭଉଣୀ ଓ ଝିଅ ରାଉରକେଲା: ନିର୍ବସ୍ତ୍ର ଅବସ୍ଥାରେ ଦୁଇ ମହିଳାଙ୍କୁ ସୁନ୍ଦରଗଡ଼ରୁ ଉଦ୍ଧାର ଘଟଣା । ସୁନ୍ଦରଗଡ଼କୁ ଉଦ୍ଧାର ମହିଳାଙ୍କ ଭଉଣୀ ଏବଂ ସାନ ଝିଅ ଆସିବା ପରେ ଘଟଣା ନେଲା ନୂଆ ମୋଡ଼ । ଦୁଷ୍କର୍ମ ସମ୍ପର୍କରେ ସୂଚନା ନଥିବା କହିଲେ ମହିଳାଙ୍କ ଭଉଣୀ । ଝାଡ଼ଖଣ୍ଡରେ ନୁହେଁ, ଛତିଶଗଡ଼ରେ ହେଉଛି ଦୁଇ ମହିଳାଙ୍କ ଘର । ମାଆ-ଝିଅଙ୍କ ସମ୍ପର୍କୀୟ ସୁନ୍ଦରଗଡ଼ରେ ପହଞ୍ଚିବା ପରେ ପ୍ରକୃତ ଠିକଣା ଏବଂ ଘଟଣା ସମ୍ପର୍କରେ ତଥ୍ୟ ମିଳିଛି ।
ଏହି ଘର ଝାଡ଼ଖଣ୍ଡରେ ନୁହେଁ, ଛତିଶଗଡ଼ ତୁମୁଲା ଥାନା ଅଞ୍ଚଳରେ ବୋଲି କହିଛନ୍ତି ପରିବାର ଲୋକ । ସଂପୃକ୍ତ ମହିଳାଙ୍କ ଭଉଣୀ ଓ ଝିଅର ବୟାନ ରେକର୍ଡ କରିଛି ପୋଲିସ । ସେମାନେ କହିଛନ୍ତି ୨ ମହିଳାଙ୍କ ଦୁଃଖଭରା କାହାଣୀ । ସୂଚନା ଥାଉ କି ଉଦ୍ଧାର ହୋଇଥିବା ମହିଳାଙ୍କ ସ୍ବାମୀର ଆଜିକୁ ପ୍ରାୟ ୮ ବର୍ଷ ତଳେ ମୃତ୍ୟୁ ହୋଇଥିଲା । ତେବେ ସ୍ବାମୀଙ୍କ ମୃତ୍ୟୁ ଘଟଣା ପରେ ସେ ନିଜକୁ ସମ୍ଭାଳି ପାରିନଥିଲେ ଏବଂ ମାନସିକ ଚାପରେ ପଡି ମାନସିକ ରୋଗରେ ଆକ୍ରାନ୍ତ ହୋଇଥିଲେ । ତେବେ ଗତ ୪ ତାରିଖରେ ସେ ଛତିଶଗଡ଼ ସ୍ଥିତ ତୁମୁଲାରୁ ଘର ଛାଡ଼ି ପଳାଇ ଆସିଥିଲେ ବୋଲି ସୂଚନା ରହିଛି ।
ଏହା ବି ପଢନ୍ତୁ- ପୀଡ଼ିତା ବଖାଣିଲେ ହୃଦୟ ବିଦାରକ କାହାଣୀ, ଦିଅର କରୁଥିଲା ବାରମ୍ବାର ଦୁଷ୍କର୍ମ !
ତେବେ ମହିଳାଙ୍କ ଭଉଣୀଙ୍କ ବୟାନ ଓ ମାନସିକ ରୋଗ ବିଶେଷଜ୍ଞଙ୍କ ରିପୋର୍ଟକୁ ଅଧାର କରି ସୁନ୍ଦରଗଡ଼ ପୋଲିସ କହିଛି ମହିଳାଙ୍କ ମାନସିକ ସ୍ଥିତି ଠିକ୍ ନାହିଁ । ମହିଳା ଜଣକ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । ତେବେ ଦୁଷ୍କର୍ମ ମାମଲା ନେଇ ମଧ୍ୟ ପୋଲିସ ମହିଳାଙ୍କ ଭଉଣୀକୁ ପଚରାଉଚରା କରିଥିଲା । ଉଲଗ୍ନ ଅବସ୍ଥାରେ ମହିଳା ଜଣକ ଉଦ୍ଧାର ହେବା ପରେ ଦିଅର ଯୌନ ନିର୍ଯାତନା ଦେଉଥିବା ନେଇ ଆସ୍ଥା ଗୃହରେ କାଉନସିଲିଂ ବେଳେ କହିଥିଲେ ମହିଳା ଜଣକ । ଯାହାକୁ ନେଇ ସାରା ରାଜ୍ୟରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।
ତେବେ ସତରେ ମିଥୁନ ତାଙ୍କର ପଡ଼ୋଶୀ ଏବଂ ସଂପର୍କରେ ଦିଅର ହେବ ବୋଲି ସ୍ବୀକାର କରିଛନ୍ତି ମହିଳାଙ୍କ ଭଉଣୀ । ତେବେ ମିଥୁନ ମହିଳାଙ୍କୁ ଏବଂ ତାଙ୍କ ଝିଅଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରୁଥିବା ନେଇ ସେ ଜାଣନ୍ତି ନାହିଁ ବୋଲି କହିଛନ୍ତି । ତେବେ ଏ ଦିଗରେ ମଧ୍ୟ ପୋଲିସ ତଦନ୍ତ ଜାରି ରଖିଛି । ତେବେ ଛତିଶଗଡ଼ ତୁମୁଲାରେ ଏହି ମହିଳାଙ୍କର ୪ ଝିଅ ଓ ୨ ପୁଅ ଥିବା ଜଣାପଡିଛି । ତେବେ ବର୍ତ୍ତମାନ ଯାଏ ଏ ଦୁଷ୍କର୍ମ ନେଇ କୌଣସି ଅଭିଯୋଗ ହୋଇନଥିବାରୁ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ନାହିଁ । ବର୍ତ୍ତମାନ କାଉନସିଲିଂ ଚାଲିଥିବା ବେଳେ ତଦନ୍ତ ମଧ୍ୟ ଧୀରେ ଧୀରେ ଚାଲୁଛି ।
ପୋଲିସ ଏହି ଘଟଣାରେ କେବଳ ସେମାନଙ୍କ ପରିବାରକୁ ଖୋଜିବାରେ ଲାଗିଥିବା ବେଳେ ଅନ୍ୟ ଦିଗ ପ୍ରତି ଧ୍ୟାନ ଦେଉନଥିବା ନେଇ ଅଭିଯୋଗ ହୋଇଛି । ପୋଲିସ କାହିଁକି ଏହି ଦୁଷ୍କର୍ମ ମାମଲାରେ ତଦନ୍ତ କରୁନାହିଁ ଏବଂ ଏପରିକି ଛତିଶଗଡ଼ରୁ ସୁନ୍ଦରଗଡ଼ ଆସୁଥିବା ବେଳେ ବାଟରେ କଣ ଘଟଣା ଅଘଟଣ ହୋଇଥିଲା ତାହା ନେଇ ମଧ୍ୟ ତଦନ୍ତ କରାଯାଉନାହିଁ ବୋଲି ପ୍ରଶ୍ନ ଉଠୁଛି । ପୋଲିସ ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଉ ବୁଦ୍ଧିଜୀବୀ ମହଲରେ ଚର୍ଚା ଜୋର ଧରିଛି।
ଇଟିଭି ଭାରତ, ରାଉରକେଲା