ରାଉରକେଲା: ସସପେନ୍ସରେ ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁ ଘଟଣା । ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ତାଙ୍କ ମାଆ ସିଲେଷ୍ଟିନା ମିଞ୍ଜ ଏବଂ ଭାଇ ସନ୍ଦୀପ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସୁସ୍ମିତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ପୋଖରୀରେ ଫିଙ୍ଗି ଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ସୁସ୍ମିତାଙ୍କ ପରିବାର ।
ସୁସ୍ମିତାଙ୍କ ମା’ ସିଲେଷ୍ଟିନା ମିଞ୍ଜ କହିଛନ୍ତି, ‘‘ପୂର୍ବରୁ ଝିଅର ପିଠିରେ ପୋଡ଼ା ଓ ହାତରେ କଟାଦାଗ ନଥିଲା । ଏହାସହ ଅଙ୍ଗୁଳିରେ ପିନ୍ଧିଥିବା ଦୁଇଟି ହୀରାମୁଦି ଓ ପାଦରୁ ପାଉଁଜି ହତ୍ୟାକାରୀ ନେଇ ଯାଇଛି । ସୁସ୍ମିତାଙ୍କ ମୃତ୍ୟୁ ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳ ଡକ୍ଟର ଗାଭାଲି ପରାଗ ହର୍ଷଦ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ଗୁରୁଣ୍ଡିଆ ବିଡିଓ ବି.ଲାକ୍ରା ସିଧାସଳଖ ଦାୟୀ । ଏମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲେ ସୁସ୍ମିତା ମୃତ୍ୟୁ ଘଟଣାର ସତ୍ୟାସତ୍ୟ ପଦାକୁ ଆସିପାରିବ ।’’
ଏହାକୁ ନେଇ ଭାଇ ସନ୍ଦୀପ ଆଜି ପ୍ଲାଣ୍ଟସାଇଟ୍ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଥାନାରେ ଦିଆଯାଇଥିବା ଲିଖିତ ଅଭିଯୋଗ ଅନୁଯାୟୀ, ସୁସ୍ମିତା ପ୍ରତିଦିନ ରାମାବାହାଲସ୍ଥ ଘରୁ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ୍କୁ ଡ୍ୟୁଟି କରିବାକୁ ଯାଆନ୍ତି । ଡ୍ୟୁଟି ସାରି ସଂଧ୍ୟାରେ ଘରକୁ ଫେରି ଆସନ୍ତି । ଗତ ୧୬ ତାରିଖ( ଶନିବାର) ସଂଧ୍ୟାରେ ଘରକୁ ନ ଫେରିବାରୁ ସନ୍ଦୀପ ତାଙ୍କ ଭଉଣୀଙ୍କୁ ଫୋନ୍ କରିଥିଲେ । ଅଫିସ୍ରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅଛି, ତେଣୁ ଯାଇପାରିବି ନାହିଁ ବୋଲି ସୁସ୍ମିତା କହିଥିଲେ । ଅଫିସ୍ ବନ୍ଦ ଥିବାରୁ ଭଉଣୀ ସୁସ୍ମିତାଙ୍କୁ କଲ୍ କରିଥିଲେ । ସୁସ୍ମିତା କଲ୍ ନ ଉଠାଇବାରୁ ସନ୍ଦୀପ ନିରାଶ ହୋଇ ଘରକୁ ଫେରିଯାଇଥିଲେ ।