ରାଉରକେଲା: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏନେଇ ରାଜନୈତିକ ଦଳମାନଙ୍କ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଦଳକୁ ମଜଭୁତ କରିବାକୁ ଭିନ୍ନ ଭନ୍ନ କାର୍ଯ୍ୟପନ୍ଥା ଆପଣାଉଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ । ବିଜେପି ଓ କଂଗ୍ରେସ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ଶାସକ ଦଳକୁ ଟାର୍ଗେଟ କରୁଥିବା ବେଳେ ବିଜେଡି କିନ୍ତୁ ବିକାଶମୂଳକ କାର୍ଯ୍ୟ ଆରମ୍ଭ କରି ଜନପ୍ରିୟ ହେବା ସହ ଦଳକୁ ସଶକ୍ତ କରିବାରେ ଲାଗିପଡ଼ିଛି । ଦଳ ଶିକ୍ଷା ଓ କ୍ରୀଡ଼ାକୁ ପ୍ରାଧାନ୍ୟ ଦେଇ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି । ଏନେଇ ରାଉରକେଲାରେ 'ମୁଁ ବି ହେବି ନବୀନ ଓଡିଶାର ସାରଥି' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଯୁବ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ କୁମାର ନାୟକଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ତେବେ ଯୁବକମାନଙ୍କ ହାତରେ ଦେଶର ଭବିଷ୍ୟତ ଏବଂ ଆଗାମୀ ଉଜ୍ଜ୍ୱଳ ପିଢ଼ି ଏହି ଯୁବକଙ୍କ ହାତରେ ନ୍ୟସ୍ତ ଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଯେଉଁଭଳି ଭାବେ ଓଡ଼ିଶା ଆଗେଇ ଚାଲିଛି ସେନେଇ ଆଲୋଚନା ହୋଇଥିଲା । ଜିଲ୍ଲାର ଯୁବଗୋଷ୍ଠୀମାନଙ୍କୁ ସୋସିଆଲ ମିଡ଼ିଆରେ ବିଜୁ ଜନତା ଦଳର ଜନହିତକାରୀ କାର୍ଯ୍ୟ ପ୍ରସାର ପ୍ରଚାର କରିବା ସହ ବିକାଶ ପାଇଁ ଦଳ କଣ ସବୁ ପଦକ୍ଷେପ ଗ୍ରହଣ କରୁଛି ତାହା ଜନସାଧାରଣ ମାନଙ୍କୁ ଜଣାଇବା ପାଇଁ କାର୍ଯ୍ୟକ୍ରମରେ ପରାମର୍ଶ ଦିଆଯାଇଥିଲା ।
ଏହା ସହିତ ବିଜୁ ଜନତା ଦଳ ଶିକ୍ଷା ଓ କ୍ରୀଡ଼ା ପ୍ରତି ନେଉଥିବା ପଦକ୍ଷେପ ସବୁ ଜନତାଙ୍କ ପାଖକୁ ପହଞ୍ଚାଇ ଦଳ ସହିତ ଲୋକଙ୍କୁ ଏବଂ ଯୁବ ସମାଜକୁ ଯୋଡ଼ିବା ପାଇଁ ଆହ୍ବାନ ଦିଆଯାଇଥିଲା । ଆସନ୍ତା ୨୦୨୪ରେ ପୁନର୍ବାର ବିଜୁ ଜନତା ଦଳକୁ ବିଜୟ କରି ନବୀନ ପଟ୍ଟନାୟକଙ୍କୁ ଆଉଥରେ ମୁଖ୍ୟମନ୍ତ୍ରୀ କରି ଓଡ଼ିଶାର ବିକାଶକୁ ଆଗେଇ ନେବା ପାଇଁ ସହଯୋଗ କରିବାକୁ ଆହ୍ବାନ ଦିଆଯାଇଛି ।