ରାଉରକେଲା: ଛୁଆର ମୃତ୍ୟୁରେ ଭାଙ୍ଗି ପଡ଼ିଛି ମାଆ । ଗୋଟିଏ ମୂହୁର୍ତ୍ତ ବି ତା ପାଖ ଛାଡୁନି । ନିଜ ହାତୀ ଛୁଆର ମୃତଦେହକୁ ଜଗି ବସିଛି ମାଆ ହାତୀ । ସୁନ୍ଦରଗଡ଼ ଜିଲ୍ଲା କୋଇଡା ଅଞ୍ଚଳରୁ ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଆସିଛି । କୋଇଡା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କୁସୁମଡ଼ିହି ଗ୍ରାମ ମୁଣ୍ଡା ସାହି ନିକଟରେ ତିନିରୁ ଚାରି ବର୍ଷୀୟ ହାତୀ ଶାବକର ମୃତଦେହ ଉଦ୍ଧାର ହୋଇଛି । କିଛି ଦିନ ପୂର୍ବରୁ ହାତୀ ଶାବକଟି ଅସୁସ୍ଥ ଥିବାରୁ ତାକୁ ବନବିଭାଗର କର୍ମଚାରୀ ଓ ପ୍ରାଣୀ ଚିକିତ୍ସକଙ୍କ ମିଳିତ ଉଦ୍ୟମରେ ହାତୀ ଶାବକଟିର ଚିକିତ୍ସା କରାଯାଇଥିଲା । ଚିକିତ୍ସା ପରେ ଛୁଆ ହାତୀଟିକୁ ଜଙ୍ଗଲରେ ଛଡା ଯାଇଥିଲା । ତେବେ ଜଙ୍ଗଲରୁ ତାର ମୃତଦେହ ଉଦ୍ଧାର ହୋଇଛି ।
ଗ୍ରାମ ନିକଟରେ ହାତୀ ଶାବକଟିର ମୃତଦେହ ପଡି ରହିଥିଲା । ସକାଳେ କୁସୁମଡ଼ିହି ଗାଁର କିଛି ଗ୍ରାମବସୀମାନେ ଜଙ୍ଗଲ ମଧ୍ୟ ଦେଇ ଯାଉଥିବା ବେଳେ ଏକ ହାତୀ ଛୁଆର ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ । ମୃତଦେହ ଆଖ ପାଖରେ ଏକ ମାଆ ହାତୀ ବୁଲୁଥିବାର ଦେଖିବାକୁ ମିଳିଥିଲା । ଗ୍ରାମବସୀମାନେ ଏହାକୁ ଦେଖି ଭୟଭୀତ ହୋଇ ଫେରି ଆସିଲେ । ଏହାପରେ ବନ ବିଭାଗକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ବନବିଭାଗର ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ମୃତ ଛୁଆହାତୀ ନିକଟରେ ତାର ମାଆ ହାତୀଟି ଜଗି ରହିଥିଲା । କାଳେ ଛୁଆଟି ଉଠିଯିବ ଭାବି ତା ପାଖ ଛାଡୁନଥିଲା । ମାଆର ମନ ମାନୁନାହିଁ, ହାତୀଟି କେତେବେଳେ ଜଙ୍ଗଲ ଆଡ଼କୁ ପଳାଉଛି ତ ପୁଣି କେତେବେଳେ ଜଙ୍ଗଲ ଆଡୁ ଫେରିଆସି ନିଜ ଛୁଆର ମୃତଦେହକୁ ଦେଖି ଦେଉଛି ।